ହେଜବୁଲ୍ଲାକୁ ଘେରିଯାଇ ଆକ୍ରମଣ କରୁଛି ଇସ୍ରାଏଲ । ଏବେ ସ୍ଥିତି ଏମିତି ହେଲାଣି ଯେ ଇରାନ ବି ହେଜବୁଲ୍ଲାକୁ କୌଣସି ପ୍ରକାର ସହାୟତା କରିପାରୁନି । କାରଣ ହିଜବୁଲ୍ଲାକୁ ଅସ୍ତ୍ରଶସ୍ତ୍ର ପଠାଇବାର ସବୁ ପ୍ଲାନକୁ ପଣ୍ଡ କରିଦେଇଛି ଇସ୍ରାଏଲ । ତେଣୁ ନିଜ ପାଖରେ ପୂର୍ବରୁ ଯେଉଁ ଅସ୍ତ୍ର ଥିଲା ସେତିକିରେ ହିଁ ପ୍ରତିଆକ୍ରମଣ କରୁଛି ହେଜବୁଲ୍ଲା । ସେପଟେ, ଇସ୍ରାଏଲର ବିଭିନ୍ନ ପ୍ରତିଷ୍ଠାନ ଉପରେ ପ୍ରାୟ ୨୦୦ କ୍ଷେପଣାସ୍ତ୍ର ମାଡ଼ କରିଥିବା ଇସ୍ରାଏଲ, ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିବାରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ବଢିବାରେ ଲାଗିଛି । ଗତରାତିରେ ବେରୁତରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଲାଲ ଓ ଧଳା ରଙ୍ଗର ଚମକ ସୃଷ୍ଟି କରିଥିବା ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଥିଲା।
ମଧ୍ୟପ୍ରାଚ୍ୟରେ ଇସ୍ରାଏଲ କରୁଥିବା ଆକ୍ରମଣରେ ଥହରହର ଇରାନ । ଦକ୍ଷିଣ ଲେବାନନ୍ ଭିତରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବା ପରଠାରୁ ପ୍ରାୟ ୪୪୦ରୁ ଅଧିକ ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରିଛନ୍ତି ଇସ୍ରାଏଲ ସୈନ୍ୟ । ସେନା ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗ୍ରି କହିଛନ୍ତି, ‘ସ୍ଥଳ ସଂଘର୍ଷ ଆରମ୍ଭରୁ ସେନା ପ୍ରାୟ ୪୪୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ମୃତକଙ୍କ ମଧ୍ୟରେ ହେଜବୁଲ୍ଲାର ପ୍ରାୟ ୩୦ ଜଣ କମାଣ୍ଡର ଅଛନ୍ତି । ଏହି ଆକ୍ରମଣ ମଧ୍ୟରେ ଇସ୍ରାଏଲ ସେନା ବେରୁତର ଦକ୍ଷିଣାଞ୍ଚଳ ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ପୁଣି ଥରେ ଆହ୍ୱାନ ଦେଇଛି । ଯେହେତୁ ସେହି ଅଂଚଳ ହେଜବୁଲ୍ଲାର ଗଡ଼, ତେଣୁ ପ୍ରଚଣ୍ଡ ଆକ୍ରମଣ ହେବ । ଏପଟେ, ଅକ୍ଟୋବର ୭ରେ ହମାସ୍ ଆକ୍ରମଣର ବାର୍ଷିକୀ ଅବସରରେ ଇସ୍ରାଏଲ ହାଇଆଲର୍ଟରେ ରହିଛି । ଠିକ୍ ବର୍ଷକ ତଳେ ହମାସ୍ର ଏହି ବର୍ବର ଆକ୍ରମଣରେ ଅତି କମ୍ରେ ୧,୨୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ତେଣୁ ନୀରିହ ନାଗରିକଙ୍କ ମୃତ୍ୟୁର ବଦଲା ନିଆଯିବା ସହିତ ଆଚଙ୍କୀଙ୍କୁ ସମୂଳେ ନିପାତ କରାଯିବ ବୋଲି ଇସ୍ରାଏଲ କହିଛି ।