ବୀର ବାଦ୍ୟରେ କମ୍ପୁଛି ଆଖଡାଘର । ପାହୁଲ ଓ ଠାଣିରେ ମଜ୍ଜିଲେଣି ସାହି ଭେଣ୍ଡିଆ । ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହେବ ପୁରୀ ସହର । ଆଉ ଉଜ୍ଜଳ ଆଲୋକମାଳାରେ ଝଲସିବ ୭ ସାହି ଓ ୪୨ ଗଳିକନ୍ଦି । କେବଳ ସେତିକି ନୁହେଁ ମଲିଫୁଲ ମାଳର ବାସ୍ନାରେ ମହକିବ ପୁରୁଷୋତ୍ତମ କ୍ଷେତ୍ର । ଆସନ୍ତା ରାମନବମୀ ଦିନ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ଠାରୁ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ବା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହେବେ ।
ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହୋଇଥାଏ । ସେପଟେ ସାହିଯାତକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସାତ ସାହି ଆଖେଡା ମୂରବିଙ୍କ ସହ ଆଲୋଚନା ଶେଷ ହୋଇଥିବା ହୋଇଛି ।