ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରଲର ଏକ ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମସିଣାବିଲା ଗ୍ରାମର କାହ୍ନୁ ମୁଣ୍ଡା, ଭଦ୍ର ଖାଟୁଆ ଓ ସାନବରବେଡା ଗ୍ରାମର ମହେଶ୍ୱର ନାଏକ ବୋଲି ଜଣାପଡିଛି।
ସମସ୍ତ ଏକ ବାଇକ ଯୋଗେ ଢେଙ୍କିକୋଟ ବଜାରରୁ ନିଜ ଗାଁକୁ ଫେରୁଥିବା ସମୟରେ ଭାରତ ପେଟ୍ରୋଲ ପମ୍ପ ଓ ଗୋଦାବରୀ ଢାବା ମଧ୍ୟରେ ଟ୍ରଲର ସହ ବାଇକର ଧକ୍କା ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଦୁର୍ଘଟଣା ଘଟାଇ ଟ୍ରଲରଟି ଫେରାର ହୋଇ ଯାଇଥିବା ବେଳେ ଢେଙ୍କିକୋଟ ଟୋଲ୍ ଗେଟ୍ ନିକଟରେ ଗାଡ଼ିକୁ ଅଟକ ରଖିଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ଅର୍ନ୍ତଗତ ଅର୍ଜୁନ ଚୂଆ,ଖଡିଖମଣ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ମାୟାବତୀ ମାର୍ଣ୍ଡି। ସୂଚନା ମୁତାବକ ମହିଳା ଜଣକ ପୂର୍ବରୁ ସ୍ୱାମୀ ହତ୍ୟା ଅଭିଯୋଗରେ ସାତ ବର୍ଷ ଜେଲଦଣ୍ଡ ଭୋଗି ଗତ ଜୁନ୍ ମାସରେ ଫେରିଥିଲା ଏବଂ ଫେରିଲା ପରେ ନିଜ ବାପଘର ଖଡିଖମଣ ବଡଭାଇ ରାମରାୟ ଟୁଡୁ ପାଖରେ ରହୁଥିଲା।
ଜେଲରୁ ଫେରିବା ପରେ ମାନସିକ ଚାପ ଗ୍ରସ୍ତ ହୋଇ ରହୁଥିବାବେଳେ ଗତ ୫ତାରିଖ ସନ୍ଧ୍ୟା ସମୟରୁ ସେ ଘରୁ, ଗାଧୋଇବା ପାଇଁ ଯାଇଥିଲା, ତେବେ ରାତି ନ ଫେରିବାରୁ ତାପର ଦିନ ପରିବାର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ। ତେବେ ଗତକାଲି ସନ୍ଧ୍ୟାରେ ତା ଭାଇ ଜଙ୍ଗଲ ନିକଟ ପଡିଆରୁ ଗୋରୁ ଆଣିବାପାଇଁ ଯାଇଥିବାବେଳେ ଭଉଣୀର ମୃତଦେହ ଏକ ବରଗଛରେ ଝୁଲୁଥିବା ଦେଖିଥିଲେ।
ତେବେ ଆଜି ସକାଳୁ ଘଟଣା ସମ୍ପର୍କରେ ରାମରାୟ ଟୁଡୁ ଦୈତାରୀ ଥାନାରେ ଲିଖିତ ଅଭିଯୋଗ ପରେ ଦୈତାରୀ ଥାନା ଅଧିକାରୀ ହୃଷିକେଶ ବେହେରା ସଦଳବଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ମୃତଦେହ ଜବତ କରିବା ସହିତ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଅଧିକ ତଦନ୍ତ ଚଳାଇଥିବା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ଆନନ୍ଦପୁର ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର