୨୪ ବର୍ଷର ସରକାର, ୨୪ ବର୍ଷର ମୁଖ୍ୟମନ୍ତ୍ରୀ, ୨୦୨୪ରେ କ୍ଷମତାଚ୍ୟୁତ ହେଲା । ଏତେ ଦିନ ଧରି ଶାସନରେ ଥିବା ବିଜେଡି ଏହା ସହଜରେ ଗ୍ରହଣ କରିପାରୁନାହିଁ । ତେଣୁ କେମିତି ଗଳାବାଟରେ ଶାସନକୁ ଫେରିବ ଏନେଇ ସ୍ଵପ୍ନ ଦେଖୁଛି । ଅବଶ୍ୟ ରାଜ୍ୟରେ ବିଜେପିର ସଂଖ୍ୟା ଗରିଷ୍ଠତା ଅଛି । ସରକାର ପ୍ରତି କୌଣସି ବିପଦ ନାହିଁ । ହେଲେ ବି ହୀନ ରାଜନୀତି କରୁଛି ବିରୋଧୀ ବିଜେଡି । ଯଦିଓ ଶାସନରେ ଥିବା ବେଳେ ବିଜେଡି ସବୁବେଳେ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା, କିନ୍ତୁ ପରାଜୟ ପରେ ଷ୍ଟାର୍ଟେଜିରେ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ।
ହରିୟାଣା, ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ଆକଳନ ଓ ଏହାକୁ ନେଇ ଦେବାଶିଷ ସାମନ୍ତରାୟ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ପରେ ବଢିଲା ଚର୍ଚ୍ଚା । ବୁଥ୍ ବାହୁଡ଼ା ମତ ଆସିବା ପରେ ଇଣ୍ଡି ମେଣ୍ଟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଜେଡିର ଏହି ଦୁଇ ନେତା । ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ଇଣ୍ଡି ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି । ହରିୟାଣା ଓ ଜମ୍ମୁ-କାଶ୍ମୀରରେ କଂଗ୍ରେସ ସରକାର କରିବ । ଆଗକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବି କଂଗ୍ରେସ କ୍ଷମତା ଦଖଲ କରିପାରେ । ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଛି । ଇଣ୍ଡି ମେଣ୍ଟରେ ବିଜେଡି ମିଶିବ କି ନାହିଁ, ପାର୍ଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବାଶିଷ । ସେପଟେ, ଇଣ୍ଡି ମେଣ୍ଟ କଥା କହି ଆମ ଦେଶ ଇଣ୍ଡିଆ ଆଗକୁ ବଢୁଛି ବୋଲି କହିଛନ୍ତି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ଏପଟେ, ପ୍ରତିକ୍ରିୟା ରଖିଛି ବିଜେପି । କହିଛି ଓଡ଼ିଶାରେ ପଦ୍ମ ଦଳର ଲୋକପ୍ରିୟତା ବଢୁଥିବାରୁ ବିଜେଡିର ଆଚରଣ ବଦଳିଛି । ଦଳ ଇଣ୍ଡି ମେଣ୍ଟକୁ ସମର୍ଥନ କଲେ ବି ଓଡ଼ିଶାରେ ତାର କିଛି ପ୍ରଭାବ ପଡ଼ିବ ନାହିଁ ।
କଥା ହେଲା ଶାସନ କରିବା ଦିନଠୁ ଏସନ ପ୍ରଥମ ଥର ଲୋକସଭାରେ ଖାତା ଖୋଲିପାରିନି ବିଜେଡି । ଜାତୀୟ ରାଜନୀତିରେ ବିଜେଡି ଏବଂ ନବୀନଙ୍କ ଦବଦବା କମୁଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଗତ ଜୁନରେ ନବୀନ ନିବାସରେ ନେତାମାନଙ୍କ ସହ ଆଲୋଚନା ବେଳେ ନବୀନ କହିଥିଲେ, ବିଜେପି ସରକାରରେ ମ୍ୟାଜିକ ନମ୍ବର ଠାରୁ ମାତ୍ର ୨-୩ ଜଣ ଅଧିକ ଅଛନ୍ତି । କେନ୍ଦ୍ରରେ ବି ବିଜେପି ପାଖରେ ବହୁମତ ନାହିଁ । ତେଣୁ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ ନବୀନ ।। ପୂର୍ବରୁ ବି କୁଜଙ୍ଗ ସଭାରେ ଦେବାଶିଷ କହିଥିଲେ, ଦରକାର ପଡିଲେ ଆମେ କଂଗ୍ରେସ ସହ ହାତ ମିଳେଇଦେବା ଏବଂ ନୂଆ ସରକାର କରିବା । କିନ୍ତୁ ସେତେବେଳେ ବିଜେଡି ଏହା ଦେବାଶିଷଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲା । ଆଉ ଏବେ ପୁଣିଥରେ ବିଜେଡି ନେତାଙ୍କ ଇଣ୍ଡି ମେଣ୍ଟକୁ ପ୍ରଶଂସା ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା ।