ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଶୁକ୍ରବାର ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ପୁରୀ ଏସପି, ଏଏସଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର କମାଣ୍ଡରଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା କରିଥିଲେ। ଜିପିଆର ସର୍ଭେ ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରର ଚଟାଣରେ ମୂଷା ଗାତ ଥିବାବେଳେ କାନ୍ଥରେ ଫାଟ ଅଛି । କାନ୍ଥରୁ ପୁରୁଣା ପଥର ଗୁଡ଼ିକ କଢାଯାଇ ନୂଆ ପଥର ଲଗାଯିବ । ରତ୍ନଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍ ସ୍ଥାନରେ ବି ନୂଆ ବିମ୍ ଲଗାଯିବ । 3 ମାସ ଭିତରେ ମରାମତି କାମ ଶେଷ କରିବାକୁ ଏଏସଆଇ ଲକ୍ଷ୍ୟ ରଖିଛି।
ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଦିନ ୧୨ ଟା ୩୦ ପରଠାରୁ ସନ୍ଧ୍ୟା ୬ଟା ଯାଏଁ ମରାମତି କାମ ଚାଲିବ। ଏହି ସମୟରେ ଭକ୍ତ ଭକ୍ତ ମାନେ ବାହାର କାଠ ନିକଟରୁ ହିଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପ୍ରତିଦିନ କାମର ଅନୁଧ୍ୟାନ କରିବେ ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ଦୁଇ ଜଣିଆ କମିଟି । କୌଣସି ସମସ୍ୟା ଥିଲେ ଏହି କମିଟିର ପରାମର୍ଶ କ୍ରମେ ସମାଧାନ କରାଯିବ । ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବାକୁ ଥିବାବେଳେ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପ୍ରତିଦିନ ରାତି ୨ଟାରୁ ଦ୍ବାର ଫିଟା ନୀତି ହେବ। ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।
ଗତ ଜୁଲାଇ ୧୪ରେ ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇଥିଲା । ସବୁ ରତ୍ନ ଅଳଙ୍କାର, ସିନ୍ଦୁକ ଶ୍ରୀମନ୍ଦିର ଅସ୍ଥାୟୀ ଭଣ୍ଡାରରେ କଡ଼ା ସୁରକ୍ଷାରେ ରଖାଯାଇଛି । ମରାମତି ସରିବା ପରେ ଅଳଙ୍କାର ପୁଣି ରତ୍ନଭଣ୍ଡାରକୁ ଅଣାଯିବ। ସମ୍ପୂର୍ଣ୍ଣ ଗଣତି ମଣତି ସହ ଭିଡିଓଗ୍ରାଫି କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ।
ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଓ ଭିତର ରତ୍ନଭଣ୍ଡାର ଖୋଲିବାକୁ ଗତ ନିର୍ବାଚନରେ ବଡ଼ ପ୍ରସଙ୍ଗ କରିଥିଲା ବିଜେପି। ଆଉ ରାଜ୍ୟ ବାସୀ ବି ଅଜାଡ଼ି ଦେଲେ ସମର୍ଥନ। ୨୪ ବର୍ଷର ନବୀନ ସରକାରକୁ ହଟାଇ ରାଜ୍ୟରେ ଗଠନ ହେଲା ଡବଲ ଇଞ୍ଜିନ ସରକାର। ଆଉ ସରକାର ଶପଥ ନେବାର ପ୍ରଥମ ଦିନ ବସିଥିବା କ୍ୟାବିନେଟରେ ଚାରିଦ୍ବାର ଖୋଲିବା ଓ ଭିତର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତି ଉପରେ ବାଜିଥିଲା ମୋହର। ଏଥିସହ ଶ୍ରୀମନ୍ଦିର ପାଇଁ ୫ଶହ କୋଟିର ଏକ କର୍ପସ ପାଣ୍ଠି ଗଠନ ନିଷ୍ପତି ନେଇଥିଲେ ସରକାର। ଗତ ରଥଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସମସ୍ତ ଗଚ୍ଛିତ ରତ୍ନ ଅଳଙ୍କାର ସହ ସିନ୍ଧୁକ, ଆଲମିରା ଆଦିକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଏଏସଆଇ ତତ୍ବାବଧାନରେ NGRIର ଭୂତତ୍ବବିଦମାନେ ଜିପିଆର ସର୍ଭେ କରିଥିଲେ। ଜିପିଆର ସର୍ଭେ ରିପୋର୍ଟ ଆସିବା ପରେ ଏଏସଆଇକୁ ରତ୍ନଭଣ୍ଡାର ମରାମତି ପାଇଁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୩୯ ବର୍ଷ ପରେ ରତ୍ନ ଭଣ୍ଡାରର ହେବ ମରାମତି। ଏଥିପାଇଁ ଅତିରିକ୍ତ ବଜେଟରେ ୫ କୋଟି ଟଙ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଛି।