ଆଜି ନାଟ୍ୟ ଦିବସ, ଖାସ୍ ସେଇଥିପାଇଁ ଆମେ ଆପଣଙ୍କୁ ରଙ୍ଗମଞ୍ଚର କଥା ଆଉ ବ୍ୟାଥା ବଖାଣୁଛୁ। ରଙ୍ଗମଞ୍ଚ କଥା ମନେ ପଡିଲେ ମନେପଡେ ଅନ୍ନପୂର୍ଣ୍ଣା ଥିଏଟର। ମନେପଡେ କଟକ ନ ହେଲେ ପୁରୀ। ଅନ୍ନପୂର୍ଣ୍ଣ ନାଁ ହିଁ ରଙ୍ଗମଞ୍ଚ ଜଗତର ଏନ୍ତୁଡିଶାଳ ବୋଲି କହିଲେ ଆଦୌ ଭୁଲ ହେବନି। ଏଇଠି ଅନେକ ନାଟକ ଜନ୍ମିଛି। ଜନ୍ମିଛନ୍ତି ଅନେକ ନାଟ୍ୟକାର। କିନ୍ତୁ ଏ ଏନ୍ତୁଡିଶାଳ ଆଜି ସବୁ ଭୂତକୋଠି ପାଲଟିଛି।
ପୁରୀରେ ଅନ୍ନପୂର୍ଣ୍ଣ ଥିଏଟରେ ଅନେକ ନାଟକ ପରିବେଶିତ ହେଉଥିଲା। ହେଲେ ଏବେ ଏହି ରଙ୍ଗମଞ୍ଚ ଆପଣଙ୍କ ଆଖିକୁ ଭୁତକୋଠି ଭଳି ଦିଶିବ। ପଲସ୍ତରା ଛାଡି ଇଟାଗୁଡାକ ଦେଖାଯାଉଛି। କାନ୍ଥ ଫାଟି ଆଁ କରିଛି। ବିଶ୍ବାସ ହେଉନି, ଯେଉଁଠି ଦିନେ ନାଟକ ହେଉଥିଲା ସେଠି ଏବେ ସ୍ମଶାନର ନୀରବତା ବିରାଜୁଛି। ରାସ୍ତା ମଝିରେ ବାଉଁଶ ଗଦା ହୋଇ ପୋକ ଖାଇଲାଣି। ଅନ୍ୟ କଥା ନ କହିବା ଭଲ। ୨୦୧୫ରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଅନ୍ନପୂର୍ଣ୍ଣ ଅଡିଟୋରିୟମ ହଲର ବିକାଶ କରାଯାଇଥିଲା। କିନ୍ତୁ ସମଗ୍ର ରଙ୍ଗମଞ୍ଚର ପୁନରୁଦ୍ଧାର ହେଲାନି। ଫଳରେ କୌଣସି ପେଶାଦାର ରଙ୍ଗମଞ୍ଚ ଭଳି ଲୋକେ ଏଠାକୁ ପାଇସା ଦେଇ ନାଟକ ଦେଖିବାକୁ ଆସନ୍ତି ନାହିଁ। ଖାଲି ଯାହା ସୌଖିନ କଳାକାର ବୃନ୍ଦଙ୍କ ଭିତରେ ନାଟକ ବଞ୍ଚିଛି କିନ୍ତୁ ବାସ୍ତବରେ ଏଠି ମରିଯାଇଛି ରଙ୍ଗମଞ୍ଚ ।
ଏବେ ଟିକେ କଟକ ଯିବା। ଏଠି ବି ନାଟୁଆଙ୍କ ସଂଖ୍ୟା କିଛି କମ୍ ନୁହେଁ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏ ମାଟିର ଅବଦାନ ସବୁବେଳେ ମନେ ରହିବ। କିନ୍ତୁ ଏଠି ବି ରଙ୍ଗମଞ୍ଚ ଆଉ ଥିଏଟର ସବୁ ମୃତପ୍ରାୟ।
୧୯୫୨ ମସିହାର କଥା। ସୁମଧୁର ସଙ୍ଗୀତ ଓ ବାଦ୍ୟ ଶୁଣି ବିଜୁବାବୁ କଟକର ଗୋଟାଏ ରିହରସଏଲ ଘରକୁ ପଶିଗଲେ। ଚାଳଘର ଭିତରେ ପଶି ନାଟକ ଅଭିନୟ ଦେଖିଲେ। ନାଟକ ଆଉ ନାଟ୍ୟକାରମାନଙ୍କ ଦୁସ୍ଥିତି ଦେଖି ନିଷ୍ପତ୍ତି ନିଆଗଲା ଏହାର ପରିବର୍ତ୍ତନ କରାଯିବ। ନାଟକର ବିକାଶ ପାଇଁ ସମସ୍ତ ବ୍ୟବସ୍ଥା ହେବ। ପରେ ପରେ ଏଠାରେ ଗଢିଉଠିଲା, ଜନତା ରଙ୍ଗମଞ୍ଚ। ଓଡ଼ିଆ ନାଟକର ପରୀକ୍ଷାଗାର। ଆଧୁନିକତାର ଛାପରେ ଏ ରଙ୍ଗମଞ୍ଚ ଆଜି ଅସ୍ତିତ୍ବ ହରାଇଛି। ୧୮୭୬ ମସିହାରେ ବଙ୍ଗୀୟ କଳାକାର ଓ ପରେ ରାଜସ୍ଥାନୀ, ମରାଠୀ କଳାକାରମାନେ ଏଠାକୁ ଆସି ନାଟକମାନ ପରିବେଷଣ କରୁଥିଲେ । କିନ୍ତୁ ଆଜି ସବୁ ଅତୀତ ହୋଇ ନିଷ୍ପଭ୍ର ଭାବେ ଠିଆ ହୋଇଛି ଜନତା ରଙ୍ଗମଞ୍ଚ ।
ଅନେକ କଳାକାରଙ୍କୁ ଗଢିଥିଲା ଏହି ରଙ୍ଗମଞ୍ଚ
ପୂର୍ବରୁ ଆପଣ ପଢିଥିଲେ ପୁରୀର ଅନ୍ନପୂର୍ଣ୍ଣ ଥିଏଟର କଥା। କଟକରେ ବି ଗୋଟିଏ ଅନ୍ନପୂର୍ଣ୍ଣ ଥିଏଟର ଥିଲା। ପୁରୀ ଥିଏଟରକୁ (A) ଓ କଟକ ଥିଏଟରକୁ (B) ବୋଲି କୁହାଯାଉଥିଲା। କୁହାଯାଏ, ଅନ୍ନପୂର୍ଣ୍ଣ ଥିଏଟର ଥିଲା ପ୍ରଥମେ ଗୋଟିଏ ଭ୍ରାମ୍ୟମାଣ ନ୍ୟାଟ୍ୟ ସଂସ୍ଥା। କଳାକାରମାନେ ବୁଲି ବୁଲି ନାଟକ ପରିବେଷଣ କରୁଥିଲେ। କିନ୍ତୁ ପ୍ରଥମେ ପୁରୀରେ ୧୯୩୬ ମସିହାରେ ସ୍ଥାୟୀ ଭାବେ ଥିଏଟର ନିର୍ମାଣ ହେଲା। ଲୋକପ୍ରିୟ ହେଲା ନାଟକ ଆଉ ରଙ୍ଗମଞ୍ଚ। ଯାହା ପ୍ରଚୋଦନା ଯୋଗାଇଲା କଟକରେ ଆଉଗୋଟିଏ ଥିଏଟର ସୃଷ୍ଟି ପାଇଁ। କଟକ ତିନିକୋଣିଆ ବଗିଚାରେ, ୧୯୪୫ ମସିହାରେ ଜନ୍ମ ନେଲା ଅନ୍ନପୂର୍ଣ୍ଣା(B) ଥିଏଟର। ପୂର୍ବରୁ ଏଠାରେ ସିନେମା ହଲ ଥିଲା। ଯାହାକୁ ମାସିକ ୨ ଟଙ୍କା ଭଡାରେ ନେଇ ରଙ୍ଗମଞ୍ଚ ଆରମ୍ଭ କଲେ, ସୋମନାଥ ଦାସ। ଇଏ ସେଇ ଥିଏଟର ଯେଉଁଠି ସୃଷ୍ଟି ହୋଇଥିଲେ ଭାନୁମତି ଦେବୀ, ଦୁଃଖୀରାମ ସ୍ବାଇଁ, ସାମୁଏଲ ସାହୁ (ବାବି)ଙ୍କ ଭଳି ମୁର୍ଦ୍ଦନ୍ୟ ଅଭିନେତା।
କନା ପଡିଛି କର୍ପୂର ଉଡିଯାଇଛି। OTT ପ୍ଲାଟଫର୍ମରେ ହଜିଯିବାକୁ ବସିଛି ନାଟକ ଆଉ ସିନେମା। କିନ୍ତୁ ଅନ୍ନପୂର୍ଣ୍ଣାର କାନ୍ଦ ଆଜି ବି ଶୁଭୁଛି। ଫରକ ଏତିକି ସେତେବେଳେ ସେ ମିଛରେ କାନ୍ଦୁଥିଲା। ଆଜି ସତସତିକା।