ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଭିତରେ ପ୍ରକୃତରେ କଣ ଅଛି ? କେତେ ଗୁପ୍ତ ସୁଡ଼ଙ୍ଗ ଅଛି ? କିଛି ଏମିତି ଚର୍ଚ୍ଚା ମାସମାସ ଧରି ହେଉଥିବା ବେଳେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ବୟାନ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି । କାରଣ ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କଠୋରୀ । କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗୁଛି । ତେଣୁ ବ୍ରତ ସରିବା ପରେ ନୂଆବର୍ଷରୁ ଗଣତି ମଣତି ହେବ ।
ରତ୍ନଭଣ୍ଡାର ଭିତରେ ନାହିଁ ଗୁପ୍ତ ସୁଡ଼ଙ୍ଗ କି ମହାପ୍ରଭୁଙ୍କ ଅଳଙ୍କାର ଭଣ୍ଡାରରେ ବି ନାହିଁ ଅଧିକ ଗୁପ୍ତ କୋଠରୀ । ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାରକୁ ନେଇ ଲାଗି ରହିଥିବା ସସପେନସରେ ପୂର୍ଣ୍ଣଛେଦ ପକାଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି-ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାର ଭିତରେ କୌଣସି ସୁଡ଼ଙ୍ଗ କି ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ତେବେ ବି ଏନେଇ ASIର ଚୂଡ଼ାନ୍ତ ସର୍ଭେ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ । ସେପଟେ ରତ୍ନଭଣ୍ଡାରରେ ଥିବା ଫାଟ ବି ଖୁବଶୀଘ୍ର ମରାମତି ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଅନେକ ସମୟରେ ରତ୍ନଭଣ୍ଡାରର ଅବସ୍ଥା ଠିକ୍ ନାହିଁ । ଫାଟ ହୋଇ ପାଣି ଗଳୁଥିବା ସେବାୟତ ମାନେ କହିଥିଲେ । ବାରମ୍ବାର ଦାବି ପରେ ପୂର୍ବ ସରକାର ରତ୍ନଭଣ୍ଡାର ଖୋଲିନଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବା ସହ ସର୍ଭେ ବି ହୋଇଥିଲା । ଏବଂ ସ୍ପଷ୍ଟ ହୋଇଥିଲା କି ରତ୍ନଭଣ୍ଡାରରେ ଫାଟ ଅଛି । ତେଣୁ ଏହି ଫାଟକୁ ମରାମତି କରିବାକୁ ପ୍ରାୟ ଦେଢମାସ ସମୟ ଲାଗିବ । ଏହାପରେ ରତ୍ନଗଣତି ହେବ । ୧୯୭୮ ମସିହାର ଅଳଙ୍କାର ତାଲିକାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପୃଥ୍ୱୀରାଜ ।
ମୋଟ୍ ଉପରେ, ବର୍ଷ ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ରହସ୍ୟମୟ ହୋଇ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାନଯିବା ଓ ଏହାର ଡୁପ୍ଲିପେଟ୍ ଚାବି ମିଳିବାକୁ ନେଇ ତମ୍ବିତୋଫାନ ଲାଗି ରହିଥିଲା । ଏମିତିକି ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବାକୁ ମୁଦ୍ଦା କରିଥିଲା ବିଜେପି । ଆଉ କେନ୍ଦ୍ର ନେତୃତ୍ଵ ବି ଏ ପ୍ରସଙ୍ଗକୁ ଉଠାଇଥିଲା । ଏବେ ରାଜ୍ୟରେ ବିଜେପି ସରକାର । ତେଣୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ବିଜେପି । ଏବେ ଏଏସଆଇର ରିପୋର୍ଟ ଆସିବାକୁ ସମସ୍ତଙ୍କ ଅପେକ୍ଷା ।