କଟକ ସିଡିଏ ସେକ୍ଟର ୧୧ ରୁ ନୂଆ ପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ଭୋରୁ ଭୋରୁ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ବ୍ରିଜ ଉପରେ ଠିଆ ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଇଛି ବାଇକ୍ । ଫଳରେ ବାଇକରେ ବସିଥିବା ତିନିଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଯୁବକମାନଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକର ପଛକୁ ପିଟିଛି ଷ୍ଟିଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଷ୍ଟିଲ୍ ବୋଝେଇ ଟ୍ରକର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛି ।
କୋଇଲା ବୋଝେଇ ଟ୍ରକ ଟି ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ଦୁର୍ଗାପୁରରୁ ଚେନ୍ନାଇ ଅଭିମୁଖେ ଷ୍ଟିଲ୍ ନେଇ ଯାଉଥିବା ଟ୍ରକଟି ପଛରୁ ପିଟି ହୋଇଥିଲା । ଘଟଣାସ୍ଥଳରୁ କୋଇଲା ବୋଝେଇ ଟ୍ରକ ଫେରାର୍ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଏବଂ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକରୁ ମୃତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ବାଲୁଗାଁ ପୋଲିସ । ମୃତକ ଜଣକ ତାମିଲନାଡୁର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...