ଶ୍ରାବଣରେ ବି ପରିବା ଦର କମୁନି । ବରଂ ବଢି ଚାଲିଛି । ସିଏ ପୁଣି ଅହେତୁକ ଭାବରେ । ରାଜଧାନୀରୁ ରାଇରଙ୍ଗପୁର...ଯାଜପୁରରୁ ଜୟପୁର । ସବୁଆଡ଼େ ରେଟ୍ ଉଚ୍ଚା । ଗତକାଲି ଯାଜପୁରରେ ତ ୧୦୦ ଉପରେ ବିକ୍ରି ହୋଇଥିଲା ଏହି ଟମାଟୋ । ମାତ୍ର ୪ ଦିନ ପୂର୍ବରୁ ଯାହାର ଦର ଥିଲା ୪୦ କି ୫୦ । ଏବେ ଆସି ପହଞ୍ଚିଲାଣି ୧୦୦ । ଯଦି ଏମିତି ଭାବରେ ଦର ବଢେ ତାହାଲେ ମାତ୍ର କେଇ ଦିନରେ ଦର ୨୦୦ ପାର ହେବ ବୋଲି ଚର୍ଚ୍ଚା ବଢିଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କାରଣ ୧୦୦୦ ନେଲେ ବି ବ୍ୟାଗ ପୁରୁନି ।
ବ୍ୟବସାୟୀଙ୍କ କହିବା କଥା, ଏଭଳି ଦରବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି, ଟମାଟୋ ପାଇଁ ଆମକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ଏବେ ଓଡ଼ିଶାକୁ ମାଲ୍ କମ୍ ଆସୁଥିବାରୁ ଏଭଳି ଦାମ୍ ବଢୁଛି । ଛତ୍ରବଜାରକୁ ଦୈନିକ ପ୍ରାୟ ୪୦ ଟନ୍ ବିଲାତି ଆସେ । ହେଲେ ପ୍ରାୟ ୨୦ ଟନରେ ସୀମିତ ରହୁଛି ଆମଦାନୀ । ତେଣୁ ଆବଶ୍ୟକତା ପୂରଣ ହୋଇପାରୁନଥିବାରୁ ଏମିତି ହୁ ହୁ ହୋଇ ବଢୁଛି ଟମାଟୋ ଦର । ଫଳରେ ଦର ବଢ଼ୁଥିବାରୁ କେବଳ ଯେ ଖାଉଟୀ, ତା’ନୁହେଁ । ବ୍ୟବସାୟୀ ବି ପ୍ରଭାବିତ । ଏଣୁ ସମୟ ଥାଉ ଥାଉ ଶୀତଳଭଣ୍ଡାର ତିଆରି କରିବାକୁ ଜୋର ଧରିଲାଣି ଦାବି ।
ବର୍ଷା ଦିନରେ ସାଧାରଣତଃ ଟିକେ ପରିବା ଦର କମେ । ହେଲେ ଏସନ ସେ ରେକର୍ଡରେ ବ୍ରେକ୍ ଲାଗିଛି । ଖାଲି ବ୍ରେକ୍ ଲାଗିଛି ତାହା ନୁହେଁ ବରଂ ହୁ ହୁ ଦର ବଢୁଛି । ବାଇଗଣରୁ ବିନ୍ସ, ଭେଣ୍ଡିରୁ ଅମୃତଭଣ୍ଡା କିମ୍ବା କଲରାରୁ କୁନ୍ଦୁରି ଯାଏଁ...ସବୁ ଦର ଆକାଶଛୁଆଁ । ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପରିବା ଦର କିଭଳି ନିୟନ୍ତ୍ରଣକୁ ଆସିବ, ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଶ୍ରାବଣ ମାସ ଚାଲୁଥିବାରୁ ଏବେ ନିରାମିଷ ଅଧିକ । ଆଉ ଏତିକି ବେଳେ ଯେଉଁ ପରି ଭାବରେ ଦର ବଢୁଛି ତାହା ସିଧା ଗ୍ରାହକଙ୍କ ଉପରେ ପ୍ରଭାବ ପକାଉଛି । ତେବେ ସମୟ କହିବ କେବେ କମୁଛି ପରିବା ଦର ।