ଭୁନେଶ୍ୱରରେ ଗତକାଲି ଚାର୍ଜସିଟ୍ର ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଜ୍ୟ ସଭାପତି ମନମୋହନ ସାମଲ, ୨ ନିର୍ବାଚନ ପ୍ରଭାରୀ। ଚାର୍ଜସିଟ୍ ଉନ୍ମୋଚନ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୂପେନ୍ଦ୍ର ଯାଦବ। କହିଛନ୍ତି କୃଷକ, ମହିଳା, ଯୁବକ, ରୋଜଗାର, ସାଂସ୍କୃତିକ ଗୌରବ କ୍ଷେତ୍ରରେ ଗ୍ରାଫ୍ ଖସୁଛି । ଏହାସହ ୩୫ ପ୍ରତିଶତ ଜଳ ସେଚନ ପ୍ରତିଶ୍ରୁତି ଆଉ କାଳିଆ ଯୋଜନାରେ କାହିଁକି କମୁଛି ହିତାଧିକାରୀଙ୍କ ସଂଖ୍ୟା ତାକୁ ନେଇ ବି ଟାର୍ଗେଟ କରିଛନ୍ତି ।
ଏହାସହ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି, ଶିଶୁ ଅପହରଣ, ଗୃହିଣୀଙ୍କ ଆତ୍ମହତ୍ୟା ବୃଦ୍ଧିକୁ ନେଇ ବିଜେଡିର ମହିଳା ସଶକ୍ତୀକରଣ ନାରାକୁ କଟାକ୍ଷ କରିଛନ୍ତି । ଦାଦନ ସମସ୍ୟା, କଲେଜରେ ଅଧ୍ୟାପକ ପଦବି ଖାଲି, ଗାଁକୁ ରାସ୍ତା ନଥିବା କଥା କହିଛନ୍ତି ଭୂପେନ୍ଦ୍ର । ସବୁଠୁ ଅଧିକ ବର୍ଷିଛନ୍ତି ବିଜୁଳି କେଳେଙ୍କାରୀ ପ୍ରସଙ୍ଗରେ। ଓଡ଼ିଶାରେ ବିଜୁଳି ୟୁନିଟ୍ ପିଛା ୨ ଟଙ୍କା ୮୪ ପଇସାରେ ମିଳୁଥିବା ବେଳେ ଓଡ଼ିଶାର ବିଜୁଳି ତାମିଲନାଡୁକୁ କେମିତି ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ଦିଆଯାଉଛି, ତାକୁ ନେଇ ଟାର୍ଗେଟ କରିଛନ୍ତି। ଖଣି ଓ ପିସି କାରବାର କଥା ବି ଉଲ୍ଲେଖ ହୋଇଛି ଚାର୍ଜସିଟ୍ରେ ।
ଲଗାତାର ୨୫ ବର୍ଷ ହେଲାଣି ରାଜ୍ୟ ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ହେଲେ ଅନ୍ୟ ରାଜ୍ୟରେ ବିକାଶର ଗାଡି ଯେମିତି ଘାଏଁ ଘାଏଁ ହୋଇ ଗଡୁଛି ଆମ ରାଜ୍ୟରେ ତାହା ହେଉନାହିଁ । କାରଣ ଏଠିକାର ସରକାର ରାଜ୍ୟ ରାଜସ୍ଵରୁ ନେତାଙ୍କ ଖର୍ଚ୍ଚ କରନ୍ତି । ଏହାସହ ଆଜି ବି ଅନେକ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ । ଏହା ପରେ ବି ଶାସନ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ରହିଛି । ତେଣୁ ଆଗାମୀ ଦିନରେ ଏ ରାଜ୍ୟ ସରକାରକୁ କଡା ଜବାବ ଦେବେ ଓଡ଼ିଶାର ଲୋକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।