ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ସହ ବିଭିନ୍ନ ପରୀକ୍ଷା ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଝାରସୁଗୁଡ଼ା ଏବଂ ଲଇକେରାରେ ବେଦାନ୍ତ ପକ୍ଷରୁ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ତିଆରି ହୋଇଛି । ପ୍ରକଳ୍ପକୁ ୨୦୨୩ ଅଗଷ୍ଟ ମାସ ୨୫ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭଚୁଆଲ ମୋଡ୍ରେ ଲୋକାର୍ପିତ କରିଥିଲେ । ହେଲେ ତନ୍ମଧ୍ୟରୁ ଝାରସୁଗୁଡ଼ାରେ ଥିବା ଡାଇଗୋଷ୍ଟିକ ସେଣ୍ଟରରେ ସିଟି ସ୍କାନ, ଏମ୍ଆରଆଇ ଏବଂ ପାଥୋଲାବ୍ ଆଦି କାର୍ଯ୍ୟକ୍ଷମ ହେଉଥିବା କୁହାଯାଉଥିବା ବେଳେ ଲଇକେରାରେ ଏଯାଏଁ ଆରମ୍ଭ ହୋଇନାହିଁ, ହେଲେ କାହିଁକି ଆରମ୍ଭ ହୋଇନାହିଁ ସେନେଇ କେହି ମୁହଁ ବି ଖୋଲିନାହାନ୍ତି ।
ଝାରସୁଗୁଡାରେ ଅତ୍ୟାଧୁନିକ ପରୀକ୍ଷା କରାଯାଉଥିବା ବେଳେ ଲଇକେରାରେ ମାତ୍ର ତିନୋଟି ପରୀକ୍ଷା କରାଯାଉଛି । ଜିଲ୍ଲା ସଦର ଡାକ୍ତରଖାନାରେ ଦୈନିକ ହାରାହାରି ୪ ଶହ ରୋଗୀ ଚିକିତ୍ସା ଲାଗି ଆସୁଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାରେ ରୋଗୀ ସଂଖ୍ୟା ହାରାହାରି ଦୁଇ ହଜାର ରହିଛି । ହାରାହାରି ହିସାବ କଲେ ଦିନକୁ ଶହେ ରୋଗୀ ମେଡ଼ିକାଲ ଆସିବେ । ୨ଟି ଡାଇଗ୍ନୋଷ୍ଟିକ ସେଣ୍ଟରରେ ୧୮୪ ପ୍ରକାର ପରୀକ୍ଷା କରାଯିବା ଲାଗି ବ୍ୟବସ୍ଥା ରହିବ ଏବଂ ଅନ୍ୟୁନ ୪୦ ଜଣ ବୈଷୟିକ ଜ୍ଞାନ ସଂପନ୍ନ କର୍ମଚାରୀଙ୍କ ଦ୍ୱାରା ଏହାର ପରିଚାଳନା କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ହେଲେ ଏହି ଘୋଷଣା କେବଳ ଘୋଷଣାରେ ରହିଯାଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଲଇକେରା ଡାଇଗ୍ନୋଷ୍ଟିକ ସେଣ୍ଟର ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟକାରୀ ପାଇଁ ଦିଆଯାଇଥିବା ବେଳେ ସେଠାରେ ବର୍ତ୍ତମାନ ମାତ୍ର ତିନି ଜଣ କର୍ମଚାରୀ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି । ବେଦାନ୍ତ ପକ୍ଷରୁ କୁହାଯାଇଥିଲା କି, ଏହି ଦୁଇ ସେଂଟରରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯିବ । ଏବେ କିନ୍ତୁ ହେଉଛି ମାତ୍ର ତିନିଟି ପରୀକ୍ଷା । ଯେଉଁଥିରେ ଏକ୍ସ-ରେ ଏବଂ ଇସିଜି ପରୀକ୍ଷା ପାଇଁ ମେସିନ ଥିବା ବେଳେ ପ୍ଲଭୋ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଏନେଇ ବେଦାନ୍ତ ଆଲୁମିନିୟ ସି.ଇ.ଓ ସୁନୀଲ ଗୁପ୍ତା କଣ କହୁଛନ୍ତି ଶୁଣନ୍ତୁ....
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପୂର୍ବରୁ ଚୁକ୍ତି ଅନୁସାରେ ବେଦାନ୍ତ ତା'ର ସିଏସଆର ଫଣ୍ଡରୁ ଦୁଇଟି ଯାକ ଡାଇଗୋଷ୍ଟିକ ସେଣ୍ଟରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବା ସହ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ୨ଟି ଯାକ ସେଣ୍ଟରରେ ପରୀକ୍ଷା କରାଯିବ ବୋଲି ପ୍ରତିଶୃତି ଦେଇଥିଲା । ହେଲେ ବର୍ତ୍ତମାନ କେବଳ ଝାରସୁଗୁଡାକୁ ଡାଇଗ୍ନୋଷ୍ଟିକ ସେଣ୍ଟର ଭାବରେ ବ୍ୟବହାର କରାଯାଉଛି ଓ ଲଇକେରାକୁ ସାମ୍ପଲ ସେଣ୍ଟର ଭାବରେ ବ୍ୟବହାର କରାଯାଉଛି ବୋଲି ବେଦାନ୍ତ ସି ଇ ଓ ଙ୍କ ବୟାନ ପରେ ବେଦାନ୍ତର କାର୍ଯ୍ୟଶ୍ୟଳୀ ଉପରେ ନାନା ପ୍ରଶ୍ନ ଉଙ୍କି ମାରୁଛି ।