ସାଙ୍ଘାତିକ ମନମାନି କଲାଣି ବେଦାନ୍ତ । ମନଇଚ୍ଛା ପାଉଁଶ ପକାଉଥିବାରୁ ଚରମ ଅବସ୍ଥାରେ ପହଞ୍ଚିଲାଣି ଝାରସୁଗୁଡ଼ା ସହରର ପ୍ରଦୂଷଣ ସ୍ତର । ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେଦାନ୍ତ କାରଖାନାର ୧୦-୧୨ଟି ଡମ୍ପିଂ ସାଇଟ୍ ଚିହ୍ନଟ କରାଯାଇ ୭୧ କୋଟିର ଜରିମାନା କରାଯାଇଛି । କିନ୍ତୁ ଏହାଠାରୁ ଢେର ଅଧିକ ଗୁଣରେ ବେଦାନ୍ତ ପକ୍ଷରୁ ବେଆଇନ୍ ଭାବେ ଡମ୍ପିଂ କରାଯାଉଛି ପାଉଁଶ । ଖାଲି ବେଆଇନ୍ ଡମ୍ପିଂ କରାଯାଉନି, ପ୍ରଥମେ ସେହି ସ୍ଥାନକୁ ଖୋଳି ସେଠାରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରାଯାଉଛି । ପରେ ସେହି ଖାଲରେ ପାଉଁଶ ଡମ୍ପ କରି ୬୦ -୭୦ ଫୁଟ୍ ଉଚ୍ଚର ପାହାଡ ସୃଷ୍ଟି କରାଯାଉଛି । ବେଦାନ୍ତର ଏହି ବେଆଇନ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ ।
ଝାରସୁଗୁଡ଼ାରେ ବେଦାନ୍ତର ଡବଲ ଲୁଟ୍ ରଣନୀତି । ପ୍ରଥମେ ମୋରମ ଲୁଟ୍ କରି ମାଲେମାଲ ହେଉଥିବା ପରେ ଏବେ ବେଆଇନ୍ ପାଉଁଶ ଡମ୍ପିଂ କରି ସ୍ଥାନୀୟ ଲୋକଙ୍କ ଅବସ୍ଥାକୁ ଖରାପ କରିଦେଲାଣି । କଥା ହେଲା, ମନଇଚ୍ଛା ମୋରମ ଚାଲାଣ କରିଥିବାରୁ କୋଟି କୋଟି ଟଙ୍କାର ରାଜସ୍ଵ ହରାଉଛି ସରକାର । ସେପଟେ, ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଲୋକେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିବା ବନ୍ଦ କରିଦେଲେଣି । ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟକ କହିଛନ୍ତି, ପାଉଁଶ ପରିବହନ ଓ ଡମ୍ପିଂ ବ୍ୟବସ୍ଥିତ ତଥା ସମ୍ପୂର୍ଣ୍ଣ ନିୟମ ଅନୁସାରେ ନହେଲେ ନିଆଯିବ କଠୋର ପଦକ୍ଷେପ।
କଥା ହେଲା, ଝାରସୁଗୁଡ଼ାବାସୀଙ୍କ ଉନ୍ନତି ପାଇଁ ବେଦାନ୍ତ ଆସିଥିଲା । ଲୋକେ ଆଶା ରଖିଥିଲେ କି, କମ୍ପାନୀ ହେଲେ ଅନେକ ଫାଇଦା ମିଳିବ । ଚାକିରି ବି ମିଳିବ । ହେଲେ ଏରିୟାର ବିକାଶ ହେବ କଣ ବରଂ ବିନାଶ କରିଦେଲା ବେଦାନ୍ତ । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଜୋରଦାର ଦାବି କରିଛନ୍ତି ।
(ଝାରସୁଗୁଡ଼ାରୁ କ୍ୟାମେରା ପର୍ସନ ଅନୀଲ ମହାରଣାଙ୍କ ସହ ରବିନାରାୟଣ ସାହୁଙ୍କ ରିପୋର୍ଟ )