ଇସ୍ରାଏଲ-ଇରାନ ମୁହାଁମୁହିଁ । ଇସ୍ରାଏଲ ଭୟଙ୍କର ଆକ୍ରମଣ ପରେ ଇରାନ ବି ପ୍ରତିଆକ୍ରମଣାତ୍ମକ ହୋଇଛି । ଗତକାଲି ଭାରତୀୟ ସମୟ ରାତି ୧୦ଟା ୨୦ରେ ଅନ୍ଧାଧୁନ ଆକ୍ରମଣ କରିଥିଲା ଇରାନ । ମାତ୍ର ୧୦ ମିନିଟ୍ରେ ୪୦୦ ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଖାସ କରି କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ୍ କରି ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା ।
ଇରାନ୍, ୟେମେନ୍, ସିରିୟା ଓ ଇରାକ୍ରୁ ମିଳିତ ଆକ୍ରମଣ ହେଉଥିବାରୁ ଇସ୍ରାଏଲକୁ ସହାୟତା କରିବାକୁ ଆମେରିକା ଆଗେଇଆସିଛି । ଆକ୍ରମଣରେ ଇରାନ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି । ଆମେରିକା କହିଛି, ଇସ୍ରାଏଲ ବିରୋଧରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତି ଚଳାଇଛି । ଏହି ଆକ୍ରମଣରୁ ଇସ୍ରାଏଲକୁ ରକ୍ଷା କରିବା ପାଇଁ ଆମେ ସକ୍ରିୟ ଭାବେ ରକ୍ଷଣାତ୍ମକ ପ୍ରସ୍ତୁତିକୁ ସମର୍ଥନ କରୁଛୁ ବୋଲି ଆମେରିକା ସ୍ପଷ୍ଟ କରିଛି । ଇସ୍ରାଏଲ ବିରୋଧରେ ଇରାନର ସିଧାସଳଖ ସାମରିକ ଆକ୍ରମଣ ଇରାନ ପାଇଁ ଭୟଙ୍କର ପରିଣାମ ଆଣିବ ବୋଲି ମଧ୍ୟ ଆମେରିକା ଚେତାଇ ଦେଇଛି ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା । ଯେହେତୁ ଇସ୍ରାଏଲକୁ ଆମେରିକା ସମର୍ଥନ ଦେଉଛି ତେଣୁ ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଇଛନ୍ତି । ଇରାନର ଆକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତତ୍କାଳ ପଦକ୍ଷେପ ନେବ ବୋଲି ସୂଚନା ରହିଛି । ଅନ୍ୟପକ୍ଷରେ ତୁର୍କୀ ସମେତ ଅନ୍ୟ କେତେକ ମୁସ୍ଲିମ ରାଷ୍ଟ୍ର ଲେବାନନ୍ରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ଇସ୍ରାଏଲକୁ ଧମକ ଦେଇଥିବା ବେଳେ ଇସ୍ରାଏଲ ଏଥିପ୍ରତି ଖାତିର କରିନାହିଁ ।
ସେପଟେ, ଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଛି ଇସ୍ରାଏଲ । କହିଛି ଦକ୍ଷିଣ ଲେବାବନ୍ରେ ହେଉଥିବା ଆକ୍ରମଣ ଯଥାର୍ଥ । ଯେପର୍ଯ୍ୟନ୍ତ ଆତଙ୍କୀ ସଫା ହୋଇନାହାନ୍ତି, ସେପର୍ଯ୍ୟନ୍ତ ଆକ୍ରମଣ ଚାଲିବ । ମୋଟ୍ ଉପରେ ଯୁଦ୍ଧକୁ ନେଇ ଭାରତ ବି ଚିନ୍ତିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପିଏମଙ୍କ ସହ କଥା ହୋଇଛନ୍ତି । କେମିତି ଶାନ୍ତି ଫେରିପାରିବ ସେନେଇ ଆଲୋଚନା ବି ହୋଇଛି । ଏହାରି ଭିତରେ ଯୁଦ୍ଧର ଘମାଘୋଟ ବଢିଥିବାରୁ ଚର୍ଚ୍ଚା କିନ୍ତୁ ଜୋର ଧରିଛି ।