ସମୁଦ୍ର କୂଳରେ ପୁରୀ । ତେଣୁ ଜଳପଥ ଦେଇ ସହର ଭିତରକୁ ପ୍ରବେଶ କରିବାକୁ ଅନୁପ୍ରବେଶକାରୀ ଉଦ୍ୟମ କରୁଛନ୍ତି । ସେଇଥି ଲାଗି ତ ପୁରୀ ପାଇଁ ଘନେଇବାରେ ଲାଗିଛି ବିପଦ । ଯେହେତୁ ନିଇତି ଲକ୍ଷାଧିକ ଲୋକ ପୁରୀ ଆସୁଛନ୍ତି ତେଣୁ କିଏ କେଉଁ ଅଂଚଳର ଜାଣିବା ମୁସ୍କିଲ । ସୁଦୀର୍ଘ ବେଳାଭୂମି ଓ ବଡ଼ଦାଣ୍ଡରେ ବ୍ୟବସାୟର ପସରା ମେଲାଉଥିବା ଶହ ଶହ ଲୋକଙ୍କୁ ଚିହ୍ନଟ ପାଇଁ କୌଣସି ବ୍ୟବସ୍ଥା ବି ନାହିଁ ।
ଓଡ଼ିଶାରେ ପାଖାପାଖି ୪୮୦ କିଲୋମିଟର ସମୁଦ୍ର ରହିଛି । ତେଣୁ ଉପକୂଳ ଦେଇ ସହରରେ ପଶିବା ଅନୁପ୍ରବେଶକାରୀଙ୍କ ଲାଗି ସହଜ ହେଉଛି । ଖାସ କରି ଭୁବନେଶ୍ଵର , କେନ୍ଦ୍ରାପଡା ଓ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ଆକ୍ସନ୍ ମୋଡକୁ ଆସିଛନ୍ତି ଜିଲ୍ଲାପାଳ ଓ ଏସପି । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ସବୁ ମେରାଇନ ଥାନାକୁ ଆଲର୍ଟ କରାଯାଇଛି । ପାଟ୍ରୋଲିଂ ବଢ଼ାଯାଇଥିବା ବେଳେ କୋଷ୍ଟ ଗାର୍ଡମାନଙ୍କ ସହ ନିୟମିତ ଯୋଗାଯୋଗ ରହିଛି ।
ସୂଚନା ଅନୁସାରେ, ବରଗଡରେ- ୨, ଭଦ୍ରକରେ-୧୯୯, କେନ୍ଦ୍ରାପଡ଼ାରେ-୧୬୪୯, ଭୁବନେଶ୍ଵରରେ-୧୭, ଜଗତସିଂପୁର-୧୧୧୨. ମାଲକାନଗିରିରେ -୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବାଂଲାଦେଶୀ ରହିଥିବା ସୂଚନା ମିଳିଛି । ହେଲେ ପୁରୀରେ କେତେ ସଂଖ୍ୟାରେ ବାଂଲାଦେଶୀ ଅଛନ୍ତି ସେ ନେଇ କୌଣସି ତଥ୍ୟ ନାହିଁ । ତେଣୁ ପୁରୀରେ ବୁଲୁଥିବା ବିଭିନ୍ନ ଯାଯାବରଙ୍କୁ ଚିହ୍ନଟ କରାଗଲେ ପ୍ରକୃତ ତଥ୍ୟ ସାମନାକୁ ଆସିବ ।
(ପୁରୀରୁ ଭିଡିଓ ଜର୍ଣ୍ଣାଲିଷ୍ଟ ସନାତନ ଓ ବିକ୍ରମଙ୍କ ସହ ପ୍ରିୟଦର୍ଶନ ମହାନ୍ତି ଓ ଆଲୋକ ଆଶୁତୋଷ)