ବିଜେଡିରେ ସାଙ୍ଘାତିକ ହେଲାଣି ଗୋଷ୍ଠୀ କନ୍ଦଳ । କେହି କାହାକୁ ମାନିବାକୁ ନାରାଜ । ଯିଏ ଯେମିତି ପାଇଲା ସେମିତି ଆସି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଲା । ତେଣୁ ବିଜେଡିର ସ୍ଥିତି କଣ ଆଉ କାହାକୁ ଅଛପା ନାହିଁ । ସେଇଥି ଲାଗି ତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ଅଶୋକ ମହାନ୍ତି, ବିଭୁତି ପ୍ରଧାନଙ୍କ ଭଳି ଅନେକ ନେତା ବିଜେଡି ଭାଙ୍ଗିଯିବ ବୋଲି ବୟାନ ରଖିଆସିଛନ୍ତି । କିନ୍ତୁ ମୁହଁଟାଣ କରି ପ୍ରମିଳା କହିଛନ୍ତି ବିଜେଡିରେ ସବୁ ଠିକ୍ଠାକ୍ ଅଛି । ମତାନ୍ତର ନାହିଁ । ବିଜେପି ନିଜ କଥା ବୁଝୁ । ସେପଟେ ପ୍ରମିଳାଙ୍କ ବାହାସ୍ଫୋଟରେ ପ୍ରତିକ୍ରିୟା ଦେଇଛନ୍ତି ଜୟନାରାୟଣ । କହିଛନ୍ତି, ଅମିତ ଶାହାଙ୍କ ଗୋଟିଏ ହୁଇସିଲରେ ବିଜେଡି ଭାଙ୍ଗିଯିବ। ବିଜେଡିର ଦୁଇ ସାଂସଦଙ୍କ ପରେ ଅନେକ ନେତା ଦଳ ଛାଡୁଛନ୍ତି । ଆଗକୁ କେମିତି ବିଜେଡି ରହିବ, ବିଜେଡି ସେକଥା ଭାବୁ।
୨୪ ବର୍ଷର ସ୍ଥିର ସରକାର, ୨୪ ବର୍ଷର ସ୍ଥିର ମୁଖ୍ୟମନ୍ତ୍ରୀ । ହେଲେ ବି ବିଜେଡି ହାରିଲା । ଏଥିଲାଗି କେଉଁମାନେ ଦାୟୀ ତାହା କାହାକୁ ଅଛପା ନାହିଁ । ନିର୍ବାଚନ ହାରିବା ପରେ ନେତାଏ ବି ସ୍ପଷ୍ଟ ଭାବରେ କହୁଛନ୍ତି, ବରିଷ୍ଠଙ୍କୁ ଗୁରୁତ୍ଵ ଦେଇଥିଲେ ଏ ଦଶା ଭୋଗିନଥାନ୍ତା ଦଳ । ଖାସ କରି ପ୍ରଦୀପ ମାଝୀ, ପଦ୍ମନାଭ ବେହେରା, ନୃସିଂହ ସାହୁ, ଭୂପିନ୍ଦର ସିଂ, ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତା ପରାଜୟ ପାଇଁ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି । ଖାଲି ସେତିକି ନୁହେଁ କିଛିଦିନ ତଳେ ଭୁବନେଶ୍ୱରରେ ଏକ ହୋଟେଲରେ ବିଜୁ ବାବୁଙ୍କ ସହ କାମ କରୁଥିବା ୭ ଦିବଂଗତ ନେତାଙ୍କ ପୁଅମାନେ ଯେଉଁମାନେ କି ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି ମେଳି କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ବଢିଥିଲା। ଆଉ ରାଜଧାନୀ ବିଜେଡି କଳି ତ ଚରମରେ। ଶଙ୍ଖ ଭବନରେ ଦୁଇ କର୍ପୋରେଟର ଗୋଷ୍ଠୀଙ୍କ ଭିତରେ ହଙ୍ଗାମା ହୋଇଥିଲା।
ମୋଟ୍ ଉପରେ ନବୀନଙ୍କୁ ଟେନସନ ଦେଲାଣି ବିଜେଡିର ଗୋଷ୍ଠୀ କନ୍ଦଳ । ସାଧାରଣ ନିର୍ବାଚନ ସରିଥିବା ବେଳେ ପଂଚାୟତ ନିର୍ବାଚନ ପାଖେଇ ଆସୁଛି । ଏମିତି ସ୍ଥିତିରେ ଦଳ କେମିତି ନିର୍ବାଚନ ପରିଚାଳନା କରିବ ତାହାକୁ ନେଇ ଚିନ୍ତାରେ ଦଳ ।