ଭରତପୁର ଥାନା ପରେ ପଥରଗାଡ଼ିଆ ଯିବେ କ୍ରାଇମବ୍ରାଞ୍ଚ ଟିମ୍ । ଯେଉଁଠାରେ ଥାନାକୁ ଆସିବା ପୂର୍ବରୁ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କର ରାସ୍ତାରେ କିଛି ଯୁବକଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଅନ୍ୟପଟେ ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ ।
ଏନେଇ କୋର୍ଟଙ୍କ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ପୀଡ଼ିତା ରାଜି ହେବାରୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ମାଗିଥିବା ସୂଚନା ମିଳିଛି । ଅଦାଲତଙ୍କ ଅନୁମତି ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ।
ସୂଚନାଯୋଗ୍ୟ, ଭରତପୁର ଥାନା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ବୈଠକରେ ଆଲୋଚନା ପରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ସେହି ଆଧାରରେ ତଦନ୍ତ ଚାଲିଛି ।