ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଛି । ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ସହ ଶୀତର ମଜାନେବାକୁ ଦାରିଙ୍ଗବାଡ଼ିରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ସବୁଜିମାରେ ଭରପୁର ଦାରିଙ୍ଗବାଡି । ଘଞ୍ଚ ଜଙ୍ଗଲ ସାଙ୍ଗକୁ ସୁଉଚ୍ଚ ପାହାଡ, ଆଉ ତାରି ଭିତରେ କୁଳୁକୁଳୁ ହୋଇ ବହି ଯାଉଛି ଝରଣା । ପ୍ରତିବର୍ଷ ପର୍ଯଟକଙ୍କୁ ଆକର୍ଷିତ କରୁଛି ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ ।
ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ହିଲଭିୟୁ ପାର୍କ, ନେଚର ପାର୍କ, ଲଭର୍ସ ପଏଣ୍ଟ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ । ଚଳିତ ବର୍ଷ ମଧ୍ୟ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ ଜମିଛି । କିଏ ସେଲ୍ଫି ନେଉଛି ତ ଆଉ ନିଜର ସ୍ମୃତି ସାଉଁଟିଛି । ସେହିପରି ଆଉ କିଏ ଶୀତୁଆ ସକାଳର ଭରପୁର ମଜା ନେଉଛନ୍ତି l
ଦାରିଙ୍ଗବାଡି ବ୍ଲକରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ । ସେ ମଧ୍ୟରୁ ଦାରିଙ୍ଗବାଡିର ମିଦୁବାନ୍ଦା ଜଳ ପ୍ରପାତ, କଫି ବଗିଚା , ଶିଶୁ ଉଦ୍ୟାନ ହିଲ ଭିୟୁ ପାର୍କ, ନେଚର ପାର୍କ, ଲଭର୍ସ ପଏଣ୍ଟ, ଏମୁପକ୍ଷୀ ପାର୍କ, କିସୁବାଡ଼ି ଜଳ ପ୍ରପାତ, ସନସେଟ ପଏଣ୍ଟ ଭଳି ଅନେକ ମନୋରମ ସ୍ଥାନ । ସେଗୁଡ଼ିକୁ ଦେଖି ପର୍ଯ୍ୟଟକ ମାନେ ଖୁବ ଆନନ୍ଦ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି । ଦିନକୁ ଦିନ ଦାରିଙ୍ଗବାଡି ଅଞ୍ଚଳରେ ଶୀତ ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ଆଗାମୀ ଦିନରେ ଆହୁରି ପର୍ଯ୍ୟଟକଙ୍କ ବୃଦ୍ଧି ପାଇବ ।