ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଦୀପାବଳୀ ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଲେ ଦର୍ଶନାର୍ଥୀ । ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ବଡବଡିଆ ଡାକରେ ପ୍ରକମ୍ପିତ ହୋଇଛି ବଡଦାଣ୍ଡ । ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ବା ପୟାଶ୍ରାଦ୍ଧର ବିଧି ରହିଛି ।
ବିଧି ମୁତାବକ ଫଳ,ଫୁଲ,ଚନ୍ଦନରେ ଆମ ଓ ହେମ ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରଦ୍ଧାଳୁ ମାନେ ଏକୋଦିଷ୍ଟ ଶ୍ରାଦ୍ଧ ଦାନ କରିଛନ୍ତି । ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଫାୟାର ବ୍ରିଗେଡ଼ର କଡା ସୁରକ୍ଷା ଏବଂ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ ପଞ୍ଜିକାରେ ତ୍ରୁଟି ଯୋଗୁଁ ଗତକାଲି ଭକ୍ତମାନେ ପୟାଶ୍ରାଦ୍ଧ ଦେଇଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ଥିରିକୃତ ପଞ୍ଜିକା ଅନୁଯାୟୀ ଦୀପାବଳି ଓ ପୟାଶ୍ରାଦ୍ଧ ପାଳିବେ ଶ୍ରଦ୍ଧାଳୁ।