ଭୁବନେଶ୍ୱର: ଯେଉଁଠି ଦିନେ ସଚିବ କି କମିଶନରଙ୍କ ପାଦ ପଡ଼ିନଥିଲା ସେଠି ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ । ଭୁବନେଶ୍ୱରର ଗାଡକଣ ସ୍ଥିତ ଶବର ସାହି । ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ଶବର ସାହିର ରୂପରେଖ ବଦଳିଛି । ଛଣ ଛପର ଘର ଆଜି କୋଠାରେ ପରିଣତ ହୋଇଛି । କେଉଁଠି ଛୋଟି ପଡୁଛି ...ତ କେଉଁଠି ସାଜସଜାରେ ଲାଗିଛନ୍ତି ଲୋକେ । ଆଉ ମୋଦିଙ୍କ ଆଗମନ ପାଇଁ ସାହି ବାସିନ୍ଦାଙ୍କ ମନରେ ପ୍ରବଳ ଉତ୍ସାହ ଭରିଯାଇଛି । କେମିତି ମୋଦିଙ୍କୁ ଭେଟିବେ, କଥା ହେବେ ସେ ନେଇ ଶବର ସାହିବାସୀଙ୍କୁ ରାତିରେ ନିଦ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଘର ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଠାକାର ଲୋକେ ।
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧.୦୫ ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଆସିବେ ଗାଡକଣ ସ୍ଥିତ ଶବର ସାହିକୁ । ପିଏମ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦଘାଟନ କରିବା ସହ ପାଖାପାଖି 30 ମିନିଟ୍ ଧରି ୨୦ ଜଣ ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଗାଡକଣ ଶବର ସାହିର ୧୨୦ ଜଣ ପରିବାର ମଧ୍ୟରୁ ପିଏମ ଆବାସ ହିତାଧିକାରୀ ଭାବରେ ୩୬ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ରଖି ଗାଡକଣ ଶବର ସାହିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏବଂ ଶେଷ ହୋଇଛି କାରକେଡ୍ ରିହରସେଲ୍ । ଏ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ତେବେ ଏନେଇ ବିମସି କମିଶନର କଣ କହୁଛନ୍ତି ଶୁଣନ୍ତୁ...
ଜନ୍ମ ଦିନରେ ଓଡ଼ିଶାର ମହିଳାମାନଙ୍କୁ ବଡ଼ ଉପହାର ଦେବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଟେଷ୍ଟ ସିରିଜ ହରାଇବା ପରେ ଫର୍ମରେ ରହିଛି ବାଂଲାଦେଶ ଟିମ୍। କାଲି ସକାଳ ୯ଟା ୩୦ ରୁ ଆରମ୍ଭ ହେବ ମ୍ୟାଚ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ୨୩ ଯାଏ ଖେଳାଯିବ । ଯାହାକି ଚେନ୍ନାଇରେ ଖେଳାଯିବ । ପରେ ପରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ ୨ୟ ଟେଷ୍ଟ ମ୍ୟାଚ୍ ଏହା କାନୁପରରେ ଖେଳାଯିବ ।
ଅଧିକ ପଢନ୍ତୁ କ୍ରୀଡା ଖବର
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଛି । ପୂର୍ବରୁ ନୂଆଦିଲ୍ଲୀରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଏଥିସହ ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍କିପକ୍ସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଗଗନଯାନ ମିଶନ, ଶୁକ୍ର ମିଶନ ଓ ମହାକାଶରେ ଭାରତର ସ୍ପେସ ଷ୍ଟେସନ୍ ପାଇଁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ । ଆମେରିକା, ଚୀନ ପରେ ଭାରତ ମହାକାଶରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ।
ଆହୁରି ତ୍ବରାନ୍ବିତ ହେବ ଭାରତର ଚନ୍ଦ୍ର ଅଭିଯାନ । ଚନ୍ଦ୍ରଯାନ ୩ ମିଶନରେ ଭାରତର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଆଉ ଏକ ବଡ ମିଶନ ଆରମ୍ଭ ହେବାକୁ ଯାଉଛି । ଚନ୍ଦ୍ରଯାନ ୪ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରେ ଅବତରଣ କରି ପୁଣି ସେଠାରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରାଯିବ । ଇସ୍ରୋ ପକ୍ଷରୁ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମିଶନ ଆସନ୍ତା ୩୬ ମାସ ମଧ୍ୟରେ ଚୂଡାନ୍ତ ରୂପ ନେବ । ଏଥିପାଇ ୨୧୦୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଜଣେ ବ୍ୟକ୍ତିଙ୍କୁ ପଠାଇବା ସହ ସେଠାରୁ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଚନ୍ଦ୍ରଯାନ ୪ ମିଶନ ଦ୍ବାରା ଏହା ଆଉ ପାଦେ ଆଗେଇବ ।
ଭାରତର ଚନ୍ଦ୍ର ଓ ମଙ୍ଗଳ ମିଶନ ପରେ ଶୁକ୍ର ଗ୍ରହର ଗତିବିଧି ଉପରେ ଅଧିକ ତଥ୍ୟ ସଂଗ୍ରହ କରାଯିବ । ଭାରତର ଅତ୍ୟାଧୁନିକ ସ୍ପେସକ୍ରାଫ୍ଟ ଶୁକ୍ରଗ୍ରହର ଚତୁପାର୍ଶ୍ବରେ ବୁଲି ସେଠାକାର ପୃଷ୍ଠଭୂମି, ବାୟୁର ଚାପ ଓ ସୂର୍ଯ୍ୟଙ୍କ କିରଣ ସେଠାରେ କଣ ପ୍ରଭାବ ରହିଛି ତାହା ଅନୁଧ୍ୟାନ କରାଯିବ । ପୃଥିବୀ ପରି ଶୁକ୍ରଗ୍ରହରେ ମଧ୍ୟ ଜୀବସତ୍ତା ଥିବା ବିଶ୍ବାସ କରାଯାଉଥିବାରୁ ଏହି ମିଶନର ଅନେକ ଗୁରୁତ୍ବ ରହିଛି । ଭାରତର ଶୁକ୍ର ମିଶନ ୨୦୨୮ରେ ଆରମ୍ଭ କରିବାକୁ ଟାର୍ଗେଟ୍ ରଖାଯାଇଛି । ୧୨୩୬କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ମିଶନର ୮୨୪କୋଟି ଟଙ୍କା ସ୍ବତନ୍ତ୍ର ମହାକାଶ ଯାନ ପାଇଁ ବ୍ୟବହାର କରାଯିବ । ଏଥିସହ ୨୦୨୮ସୁଦ୍ଧା ଭାରତ ପକ୍ଷରୁ ମହାକାଶରେ ଏକ ସ୍ପେସ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର