ଭଦ୍ରକ ବାସୁଦେବପୁର ଅଂଚଳର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ୟାଙ୍କରେ KYC ଅପଡେଟ୍ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ ସାମ୍ନାରେ କିଛି ଏମିତି ଉପାୟ ଆପଣାଇଛନ୍ତି ଲୋକେ । ଅଧ ରାତିରୁ ଆସି ବ୍ୟାଙ୍କ ସାମ୍ନାରେ ଲାଇନ୍ ଲଗାଇବା ଅନେକଙ୍କ ଲାଗି ସମ୍ଭବ ହେଉନି । ତେଣୁ ବଦଳରେ ଇଟା ରଖି ଲାଇନ୍ରେ ରହୁଛନ୍ତି ଏବଂ ସମୟ ଆସିଲେ ବ୍ୟାଙ୍କରେ KYC କରୁଥିବା ଜଣାପଡ଼ିଛି । ଏହାପରେ ବି ମନରେ ଭୟ ସଂଚାର ହେଉଛି । କାଳେ ଅନୁପସ୍ଥିତର ସୁଯୋଗ ନେଇ ଇଟା ଏପଟ ସେପଟ କିଏ କରିଦେବ ତେଣୁ ତାହା ଉପରେ ବି ନଜର ରଖୁଛନ୍ତି ଶହଶହ ଲୋକେ ।
ଅଭିଯୋଗ ଅନୁସାରେ KYC ପାଇଁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ତେଣୁ ଭୋର ୪ଟାରୁ ଆସି ଇଟା ରଖି ନମ୍ବର ପକାଇଛନ୍ତି । ସେଥିପାଇଁ ବି ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା । କିଏ କେତେ ଶୀଘ୍ର ଆସି ୧ ନମ୍ବର ପାଇବ । କଥାହେଲା ବାସୁଦେବପୁରରେ ମାତ୍ର ଗୋଟିଏ ଷ୍ଟେଟ ବ୍ୟାଙ୍କ ଥିବାରୁ ନାହିଁନଥିବା ଭିଡ଼ ହେଉଛି । ସେଇଥି ଲାଗି ତ ଲୋକମାନେ ଅଧରାତିରୁ ଆସି ଲାଇନରେ ଘଣ୍ଟାଘଣ୍ଟା ଛିଡା ହେଉଛନ୍ତି । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳୁଛି ।
ଏବେ ଅନଲାଇନ୍ରେ ଅନେକ ସରକାରୀ କାମ ହେଉଛି । ଅନଲାଇନ୍ ଟ୍ରାନାଜକସନ୍ ବି ହେଉଛି । କିନ୍ତୁ ଆକାଉଣ୍ଟରେ KYC ନଥିବାରୁ କାମ ଠିକ୍ରେ ହେଉନି । ତେଣୁ ତୁରନ୍ତ KYC କରାଇବା ଲାଗି ଲୋକଙ୍କ ମଧ୍ୟରେ ସତେ ଯେମିତି ପ୍ରତିଯୋଗିତା ଲାଗୁଛି । ସେପଟେ ଏମିତି ଅବ୍ୟବସ୍ଥା ସମ୍ପର୍କରେ କିନ୍ତୁ ମୁହଁ ଖୋଲିନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ତେବେ କେବେ ଏ ସମସ୍ୟାର ସମାଧାନ ହେଉଛି ତାହା ସମୟ କହିବ ।