ସରକାରୀ ନିୟମ ଅନୁଯାୟୀ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହେଲେ ଆଧାର କାର୍ଡ ରେ ମୋବାଇଲ୍ ନମ୍ବର ଲିଙ୍ଗ୍ କରିବାର ନିୟମ ରହିଛି। ସେଥିପାଇଁ ମହିଳାମାନେ ଉପ ଡାକଘର ଆଗରେ ଭିଡ ଜମାଇଛନ୍ତି । ଏ ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଉପ ଡାକଘର ସାମ୍ନାର । ଲୋକେ ରାତିରୁ ଜଗି ରହି ଲମ୍ବା ଲାଇନ ଦେଉଛନ୍ତି ।
ଅନ୍ୟପଟେ ସୁଭଦ୍ରା ଯୋଜନା ଫର୍ମ ଦେବା ଓ ଡ଼ିଜିଟାଇଜେସନ ନାଁରେ ଟଙ୍କା ମାଗିବା ପ୍ରସଙ୍ଗକୁ ଗୁରୁତର ସହିତ ନେଇଛି କଟକ ଜିଲ୍ଲା ପ୍ରଶାସନ। ଗୁଜବ ସୃଷ୍ଟି କଲେ ଓ ଟଙ୍କା ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି କଟକ ଜିଲ୍ଲାପାଳ । ସୁଭଦ୍ରା ଫର୍ମରେ ଦିଆଯାଉଥିବା ସମସ୍ତ ତଥ୍ୟ ସୁରକ୍ଷିତ। ତଥ୍ୟ ଚୋରି ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ। ଏଥିପ୍ରତି କାହାକୁ ଭୟଭୀତ ହେବାର ନାହିଁ।
ଏ ଦୃଶ୍ୟ ହେଉଛି ଆଠଗଡ଼ ଆଧାର କେନ୍ଦ୍ରର । ନାହିଁ ନ ଥିବା ଭିଡ । ଭିଡର ସୁଯୋଗ ନେଇ ଆଧାର କେନ୍ଦ୍ର ର ମାଲିକ ହିତାଧିକାରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ । ଖବର ପାଇ ତାଗିଦ କଲେ ଆଠଗଡ ଉପ-ଜିଲ୍ଲାପାଳ ଓ ତହସିଲଦାର ।
ଆଧାରରେ EKYC ଯୋଡ଼ିବା ପାଇଁ ମୋ ସେବା କେନ୍ଦ୍ରରେ ଭିଡ଼ ଲାଗିବ ପ୍ରସଙ୍ଗକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ଲୋକ ମାନେ ଅଧିକ ଭିଡ କରନ୍ତୁ ନାହିଁ। ଯେଉଁ ଭିଡ ଲାଗୁଛି ତାକୁ କମାଇବା ଓ ସମାଧାନ କରିବା ପାଇଁ ଆମେ ଚେଷ୍ଠା କରୁଛୁ। ୧୭ ତାରିଖ ପ୍ରଥମ କିସ୍ତି ଟଙ୍କା ଦିଆଯିବ, ହେଲେ ଭ୍ରମିତ ନହୋଇ ହିତାଧିକାରୀ ଯେଉଁ ସମୟରେ ଆବେଦନ କଲେ ମଧ୍ୟ ପ୍ରଥମ କିସ୍ତି ପାଇବେ ।
ରାଜକନିକା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଅନୁଷ୍ଠିତ ସୁଭଦ୍ରା ଯୋଜନା ପ୍ରଶିକ୍ଷଣ ଶିବିରରେ ସୁଭଦ୍ରା ଯୋଜନା ଆବେଦନ ପତ୍ର କେମିତି କାର୍ଯ୍ୟକାରୀ ହେବ ଓ ଆବେଦନ ପତ୍ରକୁ କେମିତି ପୂରଣ କରାଯିବ ସେନେଇ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।