ଇଏ ଅପୂର୍ବ ସୁଯୋଗ। ଦିବ୍ୟ ରୂପ, ଭବ୍ୟ ଦର୍ଶନ, ଭାବ ଭକ୍ତିରେ ପରିପୂର୍ଣ୍ଣ ଭକ୍ତର ମନ । ରାତି ତମାମ ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନରେ କୃତାର୍ଥ ହେଲେ ଲକ୍ଷ ଲକ୍ଷ ଲୋକ । ଆଉ ସକାଳୁ ସକାଳୁ ରଥ ଉପରେ ଆରମ୍ଭ ହୋଇଗଲା ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆରତୀ ପରେ ମଇଲମ, ତଡ଼ପ ଲାଗି ଆଉ ଅବକାଶ ନୀତି । ଏତିକି ବେଳକୁ ପୁଣି ଜନସମୁଦ୍ର ହୋଇସାରିଥିଲା କାଳିଆର ବଡ଼ଦାଣ୍ଡ। ରଥ ଦଉଡ଼ି ଧରି ତୟାର ହୋଇସାରିଥିଲେ ଭକ୍ତ ଗଣ। ସକାଳ 9ଟା 20 ବେଳକୁ ଆରମ୍ଭ ହୋଇଗଲା ଅଭିଯାନ।ଘଣ୍ଟ ଘଣ୍ଟା, ଝାଞ୍ଜ ମୃଦଙ୍ଗ, ଖୋଳ ତାଳ । ଜୟ ଜଗନ୍ନାଥ ଧ୍ବନିର ପ୍ରକମ୍ପନ। ଘର୍ଘର ନାଦ କରି ଆଗେଇ ଚାଲିଲା ରଥ। ଆଗେ ଆଗେ ବଡ଼ ଭାଇ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା। ଆଉ ସବା ପଛରେ କାଳିଆ ଠାକୁର।
ଅପୂର୍ବ ଉତ୍ସାହ, ଅଫୁରନ୍ତ ଉଲ୍ଲାସ, ଜଗନ୍ନାଥଙ୍କ ଜୟଘୋଷ । ବଡ଼ ଦାଣ୍ଡରେ ଗଡ଼ି ଚାଲିଲା ବଡ଼ ଠାକୁରଙ୍କ ବଡ଼ ରଥ। ଇଏ ଶ୍ରଦ୍ଧା ଓ ବିଶ୍ବାସର କଥା । ଅନ୍ତର୍ବେଦିକ ତତ୍ବର କଥା। ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା । ଯାହାଙ୍କ ଇଚ୍ଛାରେ ନିର୍ଦ୍ଧାରିତ ହୁଏ ଗ୍ରହ ଉପଗ୍ରହଙ୍କର ଗତିପଥ , ଯାହାଙ୍କ ଇସାରାରେ ସୂର୍ଯ୍ୟ ଚନ୍ଦ୍ର ପରିଚାଳିତ, ତାଙ୍କରି ଭବ୍ୟ ଲୀଳା। ଭାଇ ଭଉଣୀଙ୍କ ସହ କୋଟି ମନର ଦେବତାଙ୍କୁ ରଥରେ ବସାଇ ନବ ଦିନାତ୍ମକ ଯାତ୍ରାରେ ଟାଣି ନେଲେ ଭକ୍ତ ଗଣ। ଅପରାହ୍ନରେ ଶରଧା ବାଲିରେ ଲାଗିଲେ ତିନି ରଥ। ଏବେ ଗୁଣ୍ଡିଚା ମନ୍ଦିର ଆଗରେ ବିରାଜମାନ। ମଙ୍ଗଳବାର ଦିନ ସାରା ବି ରଥ ଉପରେ ରହିବେ ଚତୁର୍ଦ୍ଧାମୂର୍ତ୍ତି। ଦିବ୍ୟ ଦର୍ଶନ ଲାଭ କରି କୃତାର୍ଥ ଲଭିବେ ଶ୍ରଦ୍ଧାଳୁ। ମଙ୍ଗଳବାର ସଂଧ୍ୟାରେ ଆରମ୍ଭ ହେବ ପହଣ୍ଡି । ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: