ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ପାଇଁ ପ୍ରସ୍ତୁତି । ପ୍ରଥମେ ଆଗମନ କରିବେ ଶ୍ରୀ ଗଣେଶ । ଗଣେଶଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି। ଏଥର ପୂଜାରେ କିଛି ନିଆରା ପାଇଁ ଲାଗିଛନ୍ତି ପୂଜା କମିଟି। ୫୦ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଛି ଭୁବନେଶ୍ୱର ଶୈଳଶ୍ରୀ ବିହାର ତଳପଡିଆ ପୂଜା କମିଟି । ନଡା ,ପୁଟି ,ବାଉଁଶ ଓ ମାଟିରେ ତିଆରି ହୋଇଛି ୫୦ ଫୁଟର ଗଣେଶ ମୂର୍ତ୍ତି। ୨୦୧୭ରୁ ଗଜାନନ ପୂଜା ଆୟୋଜିତ କରି ଚର୍ଚ୍ଚାରେ ଥିବା ଏହି କମିଟି ଚଳିତ ବର୍ଷ ୫୦ ଫୁଟ ଉଚ୍ଚତାର ମୂର୍ତ୍ତି ପାଇଁ ଆରମ୍ଭ କରିଛନ୍ତି କାମ । ଏଥିପାଇଁ କମିଟି ଯାଜପୁର ମଙ୍ଗଳପୁର ଅଂଚଳରୁ ୭ ଜଣ କାରିଗରଙ୍କୁ ନିୟୋଜିତ କରିଛି । ଆଗାମୀ ୭ ତାରିଖରେ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାରୁ କାରିଗରଙ୍କ ଆଖିରୁ ନିଦ ହଜିଛି । ବିଳମ୍ବିତ ରାତି ଯାଏଁ କାମ କରି ଦାୟିତ୍ୱ ସାରିବାକୁ କାରିଗର ତତ୍ପର ହେଉଥିବା ବେଳେ କମିଟି ପକ୍ଷରୁ କରାଯାଉଛି ଆନୁସଙ୍ଗିକ ସହଯୋଗ । ଚଳିତ ବର୍ଷ ୫୦ ଫୁଟ ଉଚ୍ଚର ଗଣପତି ପ୍ରଭୁ ଶ୍ରୀରାମଙ୍କ ରୂପରେ ଦେବେ ଦର୍ଶନ । ରାଜାରାମ ବେଶରେ ୧୫ ଫୁଟର ଧନୁ ଧରି ଗଣପତି ବିରାଜିତ ହେବାକୁ ଥିବା ବେଳେ ପାଖରେ ୮ ଫୁଟର ମୂଷିକ ପ୍ରଭୁଙ୍କୁ ତୀର ବଢ଼ାଇ ଦେବାର ମୁଦ୍ରାରେ ଶୋଭା ପାଇବେ । ପୂଜାକୁ ଆକର୍ଷଣୀୟ ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି ।
ମୂର୍ତ୍ତି ନିର୍ମାଣ ଠାରୁ ସାଜସଜ୍ବା ସବୁ ହେଉଛି ନିଆରା ଢଙ୍ଗରେ । ପରିବେଶକୁ ସୁହାଇଲା ଭଳି ଉପକରଣ ଯୋଗାଡ଼ କରାଯାଇ ହେଉଛି ବ୍ୟବହାର । ପ୍ରଦୂଷଣ ସୃଷ୍ଟି କରୁଥିବା କୌଣସି ବି ସାମଗ୍ରୀ ମଣ୍ଡପ କିମ୍ବା ମୂର୍ତ୍ତିରେ ବ୍ୟବହାର କରାଯାଉ ନ ଥିବା କୁହାଯାଇଛି । ମୂର୍ତ୍ତି ନିର୍ମାଣରେ ମାଟି ,ନଡା ,ପୁଟି ,ଅଖା ଓ ବାଉଁଶ ତାଟି ବ୍ୟବହାର ହେଉଥିବା ବେଳେ ତୋରଣକୁ ମଧ୍ୟ କରାଯାଉଛି ପରିବେଶ ଅନୁକୂଳ । ପ୍ଲାଷ୍ଟିକ କିମ୍ବା ସେଭଳି କିଛି ପରିବେଶ ବିପଦ ସୃଷ୍ଟି କରୁଥିବା ପଦାର୍ଥ ବଦଳରେ କୁଲା ,ଡାଲା ଓ ବାଉଁଶ ତାଟ ବ୍ୟବହାର ହେଉଛି । ୮ ବର୍ଷର ଏହି ପୂଜା କମିଟି ୮୦ ଫୁଟର ଆକର୍ଷଣୀୟ ତୋରଣ ପ୍ରସ୍ତୁତି କାମରେ ଲାଗିଛି । ପୂଜା ପୂର୍ବରୁ ଏସବୁ କାମ ସରିବ ବୋଲି କହିଛନ୍ତି ନିୟୋଜିତ ମଣ୍ଡପ ଓ ମୂର୍ତ୍ତି କାରିଗର । ରାଜଧାନୀର ଏହି ପରିବେଶ ଅନୁକୂଳ ପୂଜା ଉତ୍ସବ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କୁହାଯାଇପାରେ ।
ଅଧିକ ଦେଖନ୍ତୁ :