ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧାବିଗ୍ରହ । ଭାଇ ଭଉଣୀଙ୍କ ସହ ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଶ୍ରୀଜିଉ । ପରେ ହାତୀବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ମହାପ୍ରଭୁଙ୍କ ଏ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲାଗିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି। 68 ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ ହେବେ। ଅନ୍ୟପଟେ ସ୍ନାନଯାତ୍ରାରେ କିଭଳି ମହାପ୍ରଭୁଙ୍କ ନୀତିକାନ୍ତକୁ ଶୃଙ୍ଖଳିତ କରାଯିବ ସେନେଇ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଭୋର 4ଟା30ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନବେଦୀ ଉପରକୁ ବିଜେ କରାଯିବ । 5 ଟାରୁ ପହଣ୍ଡି ଆରମ୍ଭ ହୋଇ ସକାଳ 7ଟା ସୁଦ୍ଧା ଶେଷ ହେବା ପରେ ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅଧରପୋଛା ଓ ଅନ୍ୟାନ୍ୟ ନୀତି କରାଯିବ ।
ମଧ୍ୟାହ୍ନ 12ଟା20ରୁ ଗୋଟଏ 45 ମଧ୍ୟରେ ଜଳଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଛେରାପହଁରା ନୀତି ବଢିବା ପରେ ଦିନ 3ଟା40 ମଧ୍ୟରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ । ଦୁର୍ଲଭ ହାତୀବେଶକୁ ସ୍ନାନମଣ୍ଡପର ଅତି ନିକଟରୁ ସଂଧ୍ୟା 7ଟା30 ରୁ 10ଟା30, 3ଘଣ୍ଟା ଯାଏଁ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ରାତି 11ଟାରେ ହାତୀବେଶ ମଇଲମ କରାଯାଇ ରାତି 11.30ରୁ 2ଟା ମଧ୍ୟରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ । 108 ଗରା ଜଳରେ ଦିବ୍ୟସ୍ନାନ କରି ଜ୍ବରରେ ପଡ଼ିବେ ମହାପ୍ରଭୁ । ଆଉ ଘନ ଅନ୍ଧକାର କୋଠରୀ ଭିତରେ ମହାପ୍ରଭୁଙ୍କ ଜ୍ୱର ଉପଶମ ପାଇଁ ଦଇତାପତି ସେବାୟତ ଆରମ୍ଭ କରିବେ ଗୁପ୍ତସେବା । ଚଳିତବର୍ଷ 13 ଦିନ ଅଣସର ପଡୁଥିବା ବେଳେ ଆସନ୍ତାକାଲିଠାରୁ ଚତୁର୍ଦ୍ଧାବିଗ୍ରହଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଁଅ ।
ଅଧିକ ପଢନ୍ତୁ ଓଡ଼ିଶା ଖବର