ବାରମ୍ବାର ଓଡ଼ିଶାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି ଆନ୍ଧ୍ର । ହେଲେ ଏବେ ଓଡ଼ିଶାର ଭୋଟ ନେବାକୁ କୁଆଡେ ମତଦାନ କେନ୍ଦ୍ର କରୁଥିବା ଚର୍ଚ୍ଚା ଜୋର ଧରିଛି । ନେରେଡ଼ିବାଲସା ସମେତ ତାଡ଼ିବାଲସା, ସେମ୍ବି, ଧୂଳିପଦର ଓ ଆରଜୁବାଲସା ଗ୍ରାମବାସୀଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏପରିକି ନିର୍ବାଚନ ପୂର୍ବଦିନରୁ ହିଁ ଭୋଟରଙ୍କୁ ନେଇ ଓଡ଼ିଶା ସୀମାନ୍ତରେ ଏକ ଅସ୍ଥାୟୀ ଶିବିରରେ ରଖିବାକୁ ଯୋଜନା ରଖିଛି ଆନ୍ଧ୍ର । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏମିତି କିଛି କାମ କଲାଣି ଆନ୍ଧ୍ର, ହେଲେ ଓଡ଼ିଶା ସରକାର ନାହିରେ ତେଲମାରି ଶୋଇଥିବା ପରି ମନେ ହେଉଛି ।
ନିର୍ବାଚନ କମିଶନର ଘୋଷଣା ଅନୁସାରେ, ମେ’ ୧୩ରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହିଦିନ କୋରାପୁଟ ଲୋକସଭା ଓ ଏହା ଅନ୍ତର୍ଗତ ପଟ୍ଟାଙ୍ଗୀ ବିଧାନସଭା ଯାହା ଅଧିନରେ କୋଟିଆ ଆସୁଛି ସେଠି ବି ପଡ଼ିବ ଭୋଟ୍ । ସେହିପରି ଆନ୍ଧ୍ରର ଆରକୁ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲୁରରେ ବି ସେହି ଦିନ ହିଁ ହେବ ମତଦାନ । ତେଣୁ ଗୋଟିଏ ଦିନରେ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆରେ ଭୋଟିଂ ହେବ । ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଥିବା ପି. ରାଜନ ଦୋରାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ସାଲୁର ହୋଇଥିବାରୁ ଏଠାରେ ନିର୍ବାଚନକୁ ବେଶ୍ ଗୁରୁତ୍ୱ ଦେଉଛି ସାଲୁର୍ ପ୍ରଶାସନ । ଖାଲି ଏତିକି ନୁହେଁ ବରଂ ଆନ୍ଧ୍ର ସରକାରଙ୍କର ସବୁ ସୁବିଧା ସେମାନେ ପାଉଥିବାରୁ ଭୋଟ ଆନ୍ଧ୍ର ଆଡ଼େ ଢଳିବା ନେଇ ଚର୍ଚ୍ଚା ଜୋର ।
ମିଳିଥିବା ସୂଚନା ଅନୁସାରେ, ପଟାଙ୍ଗି ନିର୍ବାଚନମଣ୍ଡଳୀ ଅଧିନରେ ଥିବା କୋଟିଆ ପଞ୍ଚାୟତର ଜନସଂଖ୍ୟା ୭ ହଜାର ୭୨୮ । ଭୋଟର୍ ଅଛନ୍ତି ମୋଟ୍ ୫ ହଜାର ୫୦୨ । ଏଥିପାଇଁ ଓଡ଼ିଶା ପକ୍ଷରୁ ୯ଟି ପୋଲିଂ ବୁଥ୍ କରାଯାଇଛି । ପ୍ରତି ୨ କିଲୋମିଟର ବ୍ୟବଧାନରେ ରହିଛି ମତଦାନ କେନ୍ଦ୍ର । କିନ୍ତୁ ନେରେଡ଼ିବାଲସା ପଟେ ବୁଥ୍ ନାହିଁ କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ମତଦାନ ପାଇଁ ଅମଙ୍ଗ ହେଉଛନ୍ତି ଓଡ଼ିଆ ଭୋଟର । ତେଣୁ ସମୟ କହିବ କୋଟିଆ ଭୋଟ ଯାଉଛି କାହାକୁ ?