ଆତଙ୍କୀକୁ ମୂଳପୋଛ କରିବାକୁ ଇସ୍ରାଏଲ ତୟାରୀ ରହିଛି । ସେଇଥି ଲାଗି ତ ନିଇତି ଆକ୍ରମଣ କରୁଛି । ଖାସ କରି ଏବେ ବେକା ଘାଟିକୁ ଟାର୍ଗେଟ୍ କରାଯିବ ବୋଲି ଇସ୍ରାଏଲ ସ୍ପଷ୍ଟ କରିବା ସହିତ ତୁରନ୍ତ ସେହି ସ୍ଥାନରୁ ସାଧାରଣ ଲୋକ ଦୂରେଇ ଯାଆନ୍ତୁ ବୋଲି ଅପିଲ ବି କରିଛି । ଆଜି ହାଗାରରୁ ଏହା ଦ୍ୱିତୀୟ ଚେତାବନୀ ଦିଆଯାଇଛି । ଏହାପୂର୍ବରୁ ସକାଳେ ଦକ୍ଷିଣ ଲେବାନନର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା କାରଣ ହିଜବୁଲ୍ଲାର କ୍ରୁଜ୍ କ୍ଷେପଣାସ୍ତ୍ର ରଖାଯାଇଥିବା ସ୍ଥାନକୁ ଟାର୍ଗେଟ କରିବାକୁ ଇସ୍ରାଏଲ୍ ଯୋଜନା କରିଛି ।
ପୂର୍ବରୁ ବି ଆମେରିକା ସ୍ପଷ୍ଟ କରିଥିଲା କି ଇରାନ ଇସ୍ରାଏଲ ଉପରେ ଯେଉଁ ଆକ୍ରମଣ କଲା ତାହା ଆଗାମୀ ଦିନରେ ତାକୁ ମହଙ୍ଗା ପଡ଼ିବ । ଠିକ୍ ସେମିତି ଇରାନର ଆକ୍ରମଣ ପରେ ଇସ୍ରାଏଲ ଏବେ ପ୍ରତିଆକ୍ରମଣ କରୁଛି । ଆଇଡିଏଫ୍ କହିଛି, ଆଜିର ଆକ୍ରମଣ ଲେବାନନ ଉପରେ ତୃତୀୟ ଏୟାରଷ୍ଟ୍ରାଇକ୍ । କୁହାଯାଉଛି ଆଜିର ଆକ୍ରମଣରେ ପ୍ରାୟ ୧୦୦ ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବି ଆତଙ୍କ ଖେଳିଯାଇଛି ।
ଇସ୍ରାଏଲର ଅଧିକାରୀଙ୍କ କହିବାନୁସାରେ, ହିଜବୁଲ୍ଲା ରବିବାର ଦିନ ଇସ୍ରାଏଲର ଉତ୍ତର ବିନୟାମିନା ନିକଟରେ ଥିବା ଏକ ଆଇଡିଏଫ୍ ବେସ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀର ଚାରିଜଣ ସୈନିକ ନିହତ ହୋଇଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ । ସେପଟେ, ଇସ୍ରାଏଲ- ହିଜବୁଲ୍ଲା ଯୁଦ୍ଧ ଭିତରେ ପୁଟିନଙ୍କୁ ଭେଟିଛନ୍ତି ଇରାନ ରାଷ୍ଟ୍ରପତି । କୁହାଯାଉଛି କି ଯେହେତୁ ଆମେରିକା ଇସ୍ରାଏଲକୁ ସମର୍ଥନ ଦେଉଛି ତେଣୁ ନିଜକୁ ବଞ୍ଚାଇବାକୁ ଋଷିଆ ଶରଣରେ ପଶିଛି ଇରାନ । ଅବଶ୍ୟ ଏହା ଦ୍ଵିପାକ୍ଷିକ ଆଲୋଚନା ବୋଲି ଋଷ ଗଣମାଧ୍ୟମରେ କୁହାଯାଇଛି କିନ୍ତୁ ଯୁଦ୍ଧ ଭିତରେ ଉଭୟ ନେତାଙ୍କ ଭିତରେ ହୋଇଥିବା ଆଲୋଚନା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।