ପ୍ରସ୍ତାବିତ ସଂଶୋଧନ ପ୍ରସ୍ତାବ ଅନୁସାରେ, ନାବାଳକଙ୍କ କ୍ଷେତ୍ରରେ ଯାନର ସର୍ବାଧିକ ଗତି ୨୫ କିମି ଘଣ୍ଟାପ୍ରତି ବେଗ ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏସବୁ ଯାନର ଇଞ୍ଜିନ୍ କ୍ଷମତା ୫୦ ସିସି ଓ ମୋଟର ପାୱାର ସର୍ବାଧିକ ୧୫୦୦ ୱାଟ୍ ନିର୍ଦ୍ଧାରଣ କରାଯାଇଛି । ଏହାସହ ମନ୍ତ୍ରଣାଳୟ ମୋଟ୍ ୬୭ଟି ସଂଶୋଧନ ପାଇଁ ପ୍ରସ୍ତାବ ରଖିଛନ୍ତି । ଖାଲି ଏତିକି ନୁହେଁ ବରଂ ଚଳିତ ୧୫ ତାରିଖ ଭିତରେ ମତାମତ ବି ଲୋଡାଯାଇଛି ।
ଆଗାମୀ ଶୀତ ଅଧିବେଶନରେ ପରିବହନ ମନ୍ତ୍ରଣାଳୟ ନାବାଳକଙ୍କ ଗାଡି ଚଲାଇବା ନେଇ ନୂଆ ସଂଶୋଧିତ ଆଇନକୁ ଆଗତ କରିବ । ୧୬ ବର୍ଷ ପୂରିଥିବା କିଶୋର ଓ କିଶୋରୀ ସଂପୂର୍ଣ୍ଣ ବୈଦ୍ୟୁତିକ ଯାନ ଚଳାଇ ପାରିବେ ବୋଲି ପ୍ରସ୍ତାବରେ ରହିଛି । ହେଲେ ସେଥିରେ ଡିଜାଇନ, ସ୍ପିଡ୍ ଲିମିଟ୍ ଓ ଇଂଜିନ ଶକ୍ତିକୁ ଧ୍ୟାନରେ ରଖିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି । ଏହାସହ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଅଟୋମେଟିକ୍ ଗିୟର ଥିବା ଯାନର ଲର୍ଣ୍ଣର୍ ଲାଇସେନ୍ସ ବି ମିଳିବ ନାହିଁ । ଅଭିଭାବକଙ୍କ ଲିଖିତ ସହମତି ପରେ ହିଁ ଲର୍ଣ୍ଣର୍ ଲାଇସେନ୍ସ ଜାରି କରାଯାଇପାରିବ । ଅନ୍ୟପକ୍ଷେ ହାଲୁକା ମୋଟର ଯାନ ପାଇଁ ନୂଆ ଶ୍ରେଣୀ ପ୍ରସ୍ତୁତ କରିବା, ମଧ୍ୟମ ତଥା ଭାରୀଯାନର ଡ୍ରାଇଭରଙ୍କ ଗତି ସୀମା ଉଲ୍ଲଂଘନ ପାଇଁ ଦୁଇ ହଜାର ଟଙ୍କାରୁ ଚାରି ହଜାର ଟଙ୍କା ଜରିମାନା ଲଗାଯିବାର ପ୍ରସ୍ତାବ ରହିଛି । ଦ୍ଵିତୀୟ ଥର ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ ହୋଇପାରେ ବୋଲି କୁହାଯାଉଛି ।
ମୋଟ୍ ଉପରେ, ନାବାଳକଙ୍କ ଗାଡି ଚଳାଇବାକୁ ନେଇ ଅନେକ ସମୟରେ ଦ୍ଵନ୍ଦ୍ଵ ଦେଖାଯାଉଛି । ଏମିତିକି ସେମାନଙ୍କ ପାଇଁ ଦୁର୍ଘଟଣା ବଢୁଥିବା ବି କୁହାଯାଉଛି । ତେଣୁ ନିୟମରେ ପରିବର୍ତ୍ତନ ହେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ବଢିଛି ।