ଏହି 4 ଜଣ ମହାକାଶଚାରୀ ନେଉଛନ୍ତି କଠିନ ଓ ଜଟିଳ ତାଲିମ। ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ସେହି ତାଲିମ ସମୟର। ଯେଉଁଥିରେ ପ୍ରତି ପ୍ରତିକୂଳ ପରିସ୍ଥିତି ସହ ଖାପଖୁଆଇବା ପାଇଁ ଟ୍ରେନିଂ ନେଉଛନ୍ତି 4 ବାୟୁବୀର। ଏମାନେ ଗଗନଯାନରେ ପୃଥିବୀ ପୃଷ୍ଠରୁ 400 କିଲୋମିଟର ଉପରକୁ ମହାକାଶକୁ ଯାଇ 3 ଦିନ ରହିବେ। ଗତବର୍ଷ ଅକ୍ଟୋବର 23 ତାରିଖରେ ଗଗନଯାନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟର ଲଞ୍ଚ କରି ଇତିହାସ ରଚିଥିଲା ଭାରତ। ଗଗନଯାନର କ୍ରୁ ମଡ୍ୟୁଲର କରାଯାଇଥିଲା ସଫଳତାପୂର୍ଣ୍ଣ ଉତକ୍ଷେପଣ ଓ ଅବତରଣ। ପୁଣି ଚୂଡ଼ାନ୍ତ ଅପରେସନ ପୂର୍ବରୁ 2024 ଶେଷ ଭାଗରେ ଏବଂ 2025 ପ୍ରଥମ ଭାଗରେ ଆଉ ଦୁଇ ଥର ମଧ୍ୟ କରାଯିବ ମାନବବିହୀନ ଗଗନଯାନ ମିଶନ। ସବୁଠାରୁ ବଡ଼ କଥା ହେଲା ଗଗନଯାନ ମୋଦି ସରକାରଙ୍କର MAKE IN INDIA ମିଶନର ଅନ୍ୟତମ ବଡ଼ ସଫଳତା। କାରଣ ଗଗନଯାନରେ ବ୍ୟବହୃତ ଅଧିକାଂଶ ଉପକରଣ ସ୍ବଦେଶୀ, MADE IN INDIA ବା ଭାରତରେ ନିର୍ମିତ । ଏଥିସହ ଲକ୍ଷ୍ୟ ରଖାଯାଇଛି 2023 ସୁଦ୍ଧା ମହାକାଶରେ ନିଜସ୍ବ ସ୍ପେଶ୍ ଷ୍ଟେସନ ପ୍ରତିଷ୍ଠା କରିବ ଭାରତ। 1984 ଏପ୍ରିଲ 3 ତାରିଖରେ ମହାକାଶକୁ ଯାଇଥିଲେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା। କିନ୍ତୁ ରାକେଶ ଶର୍ମା ଯାଇଥିବା ସେହି ମହାକାଶ ମିଶନ ଥିଲା ସୋଭିଏତ ଋଷିଆର। ସେବେଠାରୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଚାଲିଛି ଭାରତ। ଚନ୍ଦ୍ରଯାନରୁ ନେଇ ସୌରଯାନ ଆଦିତ୍ୟ ଏଲ୍ ୱାନର ସଫଳତା। ପୁଣି ମଙ୍ଗଳଯାନ ପାଇଁ ଚାଲିଛି ପ୍ରସ୍ତୁତି। ମହାକାଶକୁ ମଣିଷ ପଠାଇବା ପରେ ଲକ୍ଷ୍ୟ ଚନ୍ଦ୍ର ପୃଷ୍ଠକୁ ମାନବ ମିଶନ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଇସ୍ରୋର ସଫଳତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଉଛି। ଆସନ୍ତା ଦଶ ବର୍ଷରେ ଭାରତର ସ୍ପେଶ ଇକୋନୋମି ଦଶ ଗୁଣା ବଢ଼ିବ। ଆଉ ମହାକାଶ ବିଜ୍ଞାନରେ ଆହୁରି ଜାରି ରହିବ ଭାରତର ଜୟଯାତ୍ରା।
ଅଧିକ ପଢନ୍ତୁ ଭାରତ ଖବର