ପଦଯାତ୍ରା ପରେ ବିଜେଡିରେ ଏବେ ତେଜିଲାଣି ଗୋଷ୍ଠୀ କନ୍ଦଳ । ଖାଲି କନ୍ଦଳ ତେଜିଛି ତାହା ନୁହେଁ ବରଂ ନେତାଏ ପରସ୍ପରକୁ କାଦୁଅ ଫୋପଡା ରାଜନୀତି କରୁଛନ୍ତି । ଗତ କିଛିଦିନ ହେବ ଯାଜପୁର ବଡ଼ଚଣାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ ଗଣମାଧ୍ୟମରେ ଦଳକୁ ନେଇ ବୟାନ ରଖୁଛନ୍ତି । ଏମିତିକି ହାରିବାର ଶ୍ରେୟ କାହିଁକି ନବୀନ ନେବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଏନେଇ ଆଜି ପ୍ରତିକ୍ରିୟା ରଖିଥିଲେ ଲେନିନ । କହିଥିଲେ, ସେ ଦଳକୁ ଗଲେ ପଇସାଟିଏର ବି ପ୍ରଭାବ ପଡିବ ନାହିଁ । ସେ ଯଦି ଅଣନିଶ୍ଵାସୀ ତାହାଲେ କାହିଁକି ରହୁଛନ୍ତି ଦଳରେ ?
ଲେନିନ୍ଙ୍କ ଦଳ ଛାଡ କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅମର । କହିଛନ୍ତି, ସେ ମତେ ପରାମର୍ଶ ନଦେଇ ନିଜ କାମ କରନ୍ତୁ । ବାସ୍ତବରେ ଦଳରେ ମୁଁ ଅଣନିଶ୍ଵାସୀ ହୋଇ ପଡିଛି । ମୁଁ ଏବେ ବିଜେଡିରେ ନାହିଁ । ମୁଁ ଏବେ ସ୍ଵାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି । ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି । ଲେନିନ୍ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି କହି ଚିଗୁଲାଇଛନ୍ତି ଅମର ।
ମୋଟ୍ ଉପରେ ବିଜେଡିରେ ଏବେ ପ୍ରବଳ ଗୋଷ୍ଠୀକନ୍ଦଳ ଓ ନେତାଙ୍କ ସହ ନେତାଙ୍କ ମନାନ୍ତର ରହୁଛି । ବାରମ୍ବାର ଏନେଇ ସୁପ୍ରିମୋ ମିଟିଂ କରିବା ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ତେଣୁ ଆଗାମୀ ଦିନରେ ଲେନିନ-ଅମରଙ୍କ କଳିର ଗତି କୁଆଡ଼େ ଯାଉଛି ତାହା ସମୟ କହିବ ।