ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ହରଭଙ୍ଗା ବ୍ଲକ ସ୍ଥିତ ଠିଡିକାଜୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ମହାଆଡମ୍ବର ଭାବେ ପାଳିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରରେ ରୀତିନୀତି ଅନୁସାରେ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଦେଖିବା ପାଇଁ ଦୂର ଦୁରାନ୍ତରୁ ଭକ୍ତ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଥିଲେ ।
ରାୟଗଡ଼ା ସ୍ଥିତ ଶରଧା ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହୋଇଛି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଖୋଲା ଆକାଶ ତଳେ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବି ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ । ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚତୁର୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା ନୀତି ସମ୍ପନ୍ନ ହୋଇଛି । ଠାକୁର ମାନଙ୍କ ନୀତିକାନ୍ତି ପରେ ୧୦୮ ଗରା ପାଣିରେ କରାଯାଇଥିଲା ମହାସ୍ନାନ । ଘଣ୍ଟ ଘଣ୍ଟା ଓ ଖୋଳ ତାଳ ଓ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଖଜ୍ଖାସ ଜଗନ୍ନାଥ ମନ୍ଦିରରେ ବଡ଼ ଠାକୁରଙ୍କ ସ୍ନାନ ଯାତ୍ରା ନୀତି ସମ୍ପନ୍ନ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର