ଯେଉଁ ମାନେ ନିନ୍ଦୁକ ଅଛନ୍ତି ସେମାନେ ଦଳ ଛାଡି ଚାଲିଗଲେ ବିଜେଡ଼ିର ଟଙ୍କାକର ବି କ୍ଷତି ହେବନି ବୋଲି ଲେଲିନ ମହାନ୍ତି କହିଛନ୍ତି । ହେଲେ ଏଠି ପ୍ରଶ୍ନ ଯେ, ମୁଖପାତ୍ର ଲେଲିନ ମହାନ୍ତି ବରିଷ୍ଠ ନେତା ଅମର ଶତପଥୀଙ୍କୁ କହିଥିବା ଶବ୍ଦ ଗୁଡ଼ିକ ତାଙ୍କର ନା ପାଣ୍ଡିଆନଙ୍କର ? ଏବେ ବି ବିଜେଡ଼ିକୁ ପ୍ରଚ୍ଛଦପଟ୍ଟରେ ରହି ଚଳାଉଛନ୍ତି କି ତାମିଲ ବାବୁ ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଲେଲିନ ମହାନ୍ତି ଦଳର ଜଣେ ଯୁବ ମୁଖପାତ୍ର । ହେଲେ ଅମର ଶତପଥୀ ପୂର୍ବତନ ମନ୍ତ୍ରୀ ତଥା ଛଅ ଛଅ ଥରର ବିଧାୟକ ।
ସେପଟେ ଲେଲିନଙ୍କ ବୟାନ ପରେ ବିଜେଡ଼ିର ପୋଲ ଖୋଲିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । କହିଛନ୍ତି, ଯେଉଁ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ଗଠନ ହୋଇଥିଲା ସେ ଦଳରେ ଆଉ ନବୀନଙ୍କ କଥାରେ କିଛି ହେଉନି । ଯାହାକୁ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି । ଲେଲିନ ମୋତେ ପରାମର୍ଶ ନଦିଅନ୍ତୁ । ଲେଲିନଙ୍କ ଅପରିପକ୍ବତା ଉପରେ ମୋତେ ଦୟା ଆସୁଛି ବୋଲି କହିଛନ୍ତି ଅମର । ଏହାସହ ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ ବୋଲି କହିଛନ୍ତି ଅମର ଶତପଥୀ । ତେବେ ବିଜେଡ଼ିରେ ବଢୁଥିବା ବୟାନବାଜି ଓ ଅନ୍ତଃକନ୍ଦଳ ଉପରେ ମତ ରଖିଛନ୍ତି ରାଜନୈତିକ ବିଶେଷଜ୍ଞ ।
ଅନ୍ୟପଟେ କାରଣ ଦର୍ଶାଅ ନୋଟିସକୁ ନେଇ ବିଜେଡି କର୍ପୋରେଟର ଅମରେଶ ଜେନା ଦେଇଛନ୍ତି ବଡ଼ ବୟାନ । ନାଁ ନନେଇ ଭୁବନେଶ୍ଵରର ଦୁଇ ବରିଷ୍ଠ ବିଜେଡ଼ି ନେତାଙ୍କୁ ଟାର୍ଗେଟ କରିଛନ୍ତି ଅମରେଶ । କହିଛନ୍ତି, ବିଜେଡିରେ ଦୁଇ ଜଣ ଆକ୍କା ବସିଛନ୍ତି । ରିମୋଟ ଧରି ବିଭିନ୍ନ ପଦରେ ଥିବା ଲୋକଙ୍କୁ ଧମକ ଦେଉଛନ୍ତି । 24 ନିର୍ବାଚନରେ ଟିକେଟ ପାଇଁ ଆମେ ଆଶାୟୀ ଥିଲୁ ବୋଲି ଆମ ଉପରେ ଅତ୍ୟାଚାର କରାଯାଉଛି ।
ଆହୁରି ପଢନ୍ତୁ ରାଜନୀତି ଖବର...