କେମିତି ଭଲରେ ନ୍ୟାୟ ପାଇବେ ଲୋକେ ସେନେଇ ବିଜେପୁରରେ ତିଆରି ହୋଇଥିଲା କୋର୍ଟ । କାମ ସରିବା ପରେ ଉଦଘାଟନ ହେବା ପାଇଁ ପ୍ରସ୍ତୁତି ବି ଶେଷ ହେଲା । ନିମନ୍ତ୍ରଣ ବି ଦିଆଗଲା । କିନ୍ତୁ ଉଦଘାଟନୀ ସଭାରେ ମୁଖ୍ୟ ବିଚାରପତିଙ୍କ ସହ ଏକାଠି ବସିବାକୁ କୁଆଡେ ଜିଦ୍ ଧରିଥିଲେ ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ ଓ ତାଙ୍କ ସମର୍ଥକ । ଯାହାକୁ ନେଇ ହୋଇଥିଲା ବିବାଦ। ଆଉ ଏ ଖବର ପାଇବା ପରେ ଉଦଘାଟନ କରିବାକୁ ଆସିଲେ ନାହିଁ ମୁଖ୍ୟ ବିଚାରପତି । ଏହା ପରେ ବିଜେପୁରବାସୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା ।
ରିତା ସାହୁଙ୍କ ପୋଷ୍ଟର ଚିରିବା ସହ ନାରାବାଜି କରିଥିଲେ ବିଜେପୁରବାସୀ । ଯାହାର ଫଳ ଦେଖିବାକୁ ମିଳିଥିଲା ୨୪ ସାଧାରଣ ନିର୍ବାଚନରେ । ବିଜେପି ପ୍ରାର୍ଥୀ ସନତ ଗଡଟିଆ ବିଜୟ ହେବା ପରେ ବିଜେପୁରରେ କେମିତି କୋର୍ଟ ଖୋଲିବ ସେନେଇ ଏବେକାର ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଅନୁରୋଧ କରିଥିଲେ । ଆଉ ଆଇନମନ୍ତ୍ରୀ ବି ଅନୁରୋଧ ରକ୍ଷାକରି କୋର୍ଟ ଉଦଘାଟନ ପାଇଁ ବ୍ୟବସ୍ଥା କରିଥିଲେ ।
କଥା ହେଲା, ଯେଉଁ ରୀତା ସାହୁଙ୍କୁ ବିଜେପୁର ବାସିନ୍ଦା ଦୁଇ ଦୁଇଟି ଉପନିର୍ବାଚନରେ ରେକର୍ଡ ଭୋଟରେ ଜିତାଇଥିଲେ ତାଙ୍କ ଜନବିରୋଧୀ କାର୍ଯ୍ୟଯୋଗୁଁ ସେହି ଜନତା ଶିଖାଇଲେ ସବକ୍ । ତେବେ ଶେଷରେ ସରକାର ବଦଳିବା ସହ ବିଜେପୁରବାସୀଙ୍କୁ ହାତ ପାଆନ୍ତାରେ ନ୍ୟାୟ ମିଳିବାର ବାଟ ଖୋଲିଛି।