ଆର ଜି କର ମେଡିକାଲ କଲେଜ୍ରେ ଯେଉଁ ଘଟଣା ଘଟିଲା ତାହା ପୁରା ଦେଶକୁ ଦୋହଲାଇ ଦେଲା । ତେଣୁ ଆଗାମୀ ଦିନରେ ଯେମିତି ସେହିପରି ମାମଲା ନହୁଏ ସେଇଥି ଲାଗି ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ, ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ ମେଡିକାଲରେ । ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ ହେବ । ଇନଡୋର ରୋଗୀଙ୍କ ପାଇଁ ଭିଜିଟର ପାସ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ସେହିପରି OPDରେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ମୁତୟନ ରହିବେ। ଯେତେ ସମ୍ଭବ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ଡ୍ୟୁଟିରେ ରହିବେ । ସୁରକ୍ଷାକର୍ମୀ କ୍ୟାମ୍ପସ ଭିତରେ ପାଟ୍ରୋଲିଂ କରିବା ସହିତ ଅନଧୀକୃତ ଯାତ୍ରୀଙ୍କୁ ମେଡିକାଲ ପରିସରରୁ ବାହାର କରିବେ ।
ମେଡିକାଲରେ ଡ୍ୟୁଟି କରିବା ସମୟରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲା ତାହାଲେ ପାନିକ ବଟନ୍, ଜରୁରୀ ଫୋନ୍ ଏବଂ ଆପ୍ ଜରିଆରେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦିଆଯାଇପାରିବ । ଏହାସହ ପୁରା ମେଡିକାଲରେ ସିସିଟିଭି ସଂଖ୍ୟା ବଢାଯିବ । ହଷ୍ଟେଲ ଓ ଗେଟ୍ ବାହାରେ CCTV କ୍ୟାମେରା ଲାଗିବ । ସୂଚନା ପାଇବା ମାତ୍ରେ ପୋଲିସ ସଙ୍ଗେ ସଙ୍ଗେ ଆକ୍ସନ ନେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ମେଡିକାଲ ଷ୍ଟାଫ ଓ କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ଡ୍ରେସ୍ କୋଡ୍ ଓ ଆଇକାର୍ଡ ବାଧ୍ୟତାମୂଳକ ରହିବ । ରୋଗୀଙ୍କ ଲାଗି ଭିଜିଟର ପାସ୍ ବ୍ୟବସ୍ଥା ହେବା ସହିତ ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇଟି ଏଣ୍ଟ୍ରି ପାସ୍ କରାଯିବ । ମେଡିକାଲ ଅଧୀକ୍ଷକଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟରେ କେବଳ ରୋଗୀଙ୍କ ସମ୍ପର୍କୀୟ ରୋଗୀକୁ ଭେଟି ପାରିବେ । ନାଇଟ୍ ସିଫ୍ଟ କରୁଥିବା ମହିଳା ଡାକ୍ତର, କର୍ମଚାରୀ ଓ ମେଡିକାଲ ଛାତ୍ରୀଙ୍କୁ ଏସ୍କଟ କରି ସୁରକ୍ଷିତ ଭାବେ ଛଡ଼ାଯିବ । ମୋଟ୍ ଉପରେ ରାଜ୍ୟରେ କେମିତି ଡାକ୍ତରମାନଙ୍କୁ ସୁରକ୍ଷା ଦିଆଯିବ ସେନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।