ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ । କେମିତି ଗୁଣାତ୍ମକ ଶିକ୍ଷା ପାଇବେ ପିଲାଏ ସେଇଥି ଲାଗି ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ସ୍କୁଲର ବିକାଶ ଲାଗି ଟଙ୍କା ବ୍ୟୟବରାଦ ବି କରୁଛନ୍ତି । ହେଲେ ଏଇଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ଯାହାର ପ୍ରମାଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ । ଦେଖନ୍ତୁ ଏ ନିମ୍ନମାନର ଟେବୁଲ୍, ପଙ୍ଖା, କଳାପଟାକୁ । ସଦର ବ୍ଲକ ପଗାରପାଣି ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ଦୃଶ୍ୟ । FLN ସ୍କିମରେ ୧୨ ଲକ୍ଷ ୩୫ ଶହ ଟଙ୍କା ମଞ୍ଜୁର ହୋଇ ଖର୍ଚ୍ଚ ହୋଇଛି । କିନ୍ତୁ ନିଜ ପକେଟ୍କୁ ଗରମ କରି ମାଲେମାଲ ହୋଇଛନ୍ତି ଇଞ୍ଜିନିୟର କିନ୍ତୁ ସ୍କୁଲରେ ବ୍ୟବହାର ହେଉଛି ନିମ୍ନମାନର ସାମଗ୍ରୀ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ପରିଚାଳନା କମିଟି ସଭାପତି ।
ଅଭିଯୋଗ କେବଳ ଗୋଟିଏ ସ୍କୁଲକୁ ନେଇ ହୋଇଛି ତାହା ନୁହେଁ ବରଂ ଜିଲ୍ଲାର ୫ ଟି ବ୍ଲକରେ ୩୪୫ ଗୋଟି ଶ୍ରେଣୀଗୃହ ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ସବୁଠି ଦୁର୍ନୀତିର ଅଭିଯୋଗ ।.. ପ୍ରଧାନ ଶିକ୍ଷକ କିମ୍ବା ପରିଚାଳନା କମିଟି ଆଖିରେ ଆଙ୍ଗୁଠି ଗେଞ୍ଜି ଇଞ୍ଜିନିୟର ବାସୁଦେବ ପଣ୍ଡା ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ସେପଟେ ଟିମ୍ ଗଠନ କରି ତଦନ୍ତ କରାଯିବ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତା ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସରକାରୀ ଟଙ୍କା ଆତ୍ମସାତ୍ କରିବାକୁ କେମିତି ସାହସ କଲେ ଇଞ୍ଜିନିୟର ? ନିମ୍ନମାନର କାମ ହେଉଥିବା ଜାଣିବା ପରେ କେମିତି ପାସ ହେଲା ବିଲ୍ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।